ସୋର : ବାଲେଶ୍ବର ଜିଲା ୧୬ନଂ ଜାତୀୟ ରାଜପଥ ସୋର ଉତ୍ତରେଶ୍ବର ନିକଟରେ ଗୁରୁବାର ପ୍ରାତଃ ଭ୍ରମଣରେ ଯାଇଥିବା ଜଣେ ଯୁବକ ଟ୍ରକ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପ୍ରାତଃ ଭ୍ରମଣରେ ଯାଇଥିବା ଅନ୍ୟ ଲୋକମାନେ ଏହା ଦେଖିବା ପରେ ସଙ୍ଗେ ସଙ୍ଗେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଆମ୍ବୁଲାନ୍ସ ଯୋଗେ ସୋର ଡାକ୍ତରଖାନାକୁ ବ୍ୟବଛେଦ ପାଇଁ ପଠାଇଥିବା ସୂଚନା ମିଳିଛି।
ଉକ୍ତ ଯୁବକଙ୍କ ନାମ କେଶବ ଚନ୍ଦ୍ର ବେହେରା ବୋଲି ଜଣାଯାଇଛି। ତାଙ୍କର ବୟସ ୩୨ ବର୍ଷ ଓ ସେ ଅବିବାହିତ ବୋଲି ଜଣାଯାଇଛି। ତାଙ୍କ ଘର ବାଲେଶ୍ୱର ଜିଲ୍ଲାର ଜଡ଼ିନା ପଞ୍ଚାୟତର ଭଡ଼ରାପଦା ଗାଁରେ। ସେ ଗାଁର ଗଜେନ୍ଦ୍ର ବେହେରାଙ୍କ ପୁତ୍ର ବୋଲି ମଧ୍ୟ ସୂଚନା ମିଳିଛି। କେଶବ ଚନ୍ଦ୍ର ବେହେରା ମାନସିକ ବ୍ୟାଧିଗ୍ରସ୍ତ ଥିଲେ ଏବଂ ତାଙ୍କର ସୋର ଡାକ୍ତରଖାନାରେ ଚିକିତ୍ସା ଚାଲିଥିଲା। ଆଜି ସକାଳେ ସେ କାହାକୁ କିଛି ନ କହି ଡାକ୍ତରଖାନାରୁ ଚାଲିଆସି ଏକ ଅଜଣା ଟ୍ରକ୍ ଉପରକୁ ଡେଇଁ ପଡ଼ିଥିବା କୁହାଯାଇଛି।