ନୂଆଦିଲ୍ଲୀ -: ଆଜି ସାରା ଦେଶରେ ମଧ୍ୟାହ୍ନ ୧୨ଟାରୁ ‘ଚକା ଜାମ୍’ ହୋଇଯାଇଛି। କେନ୍ଦ୍ର କୃଷି ଆଇନ୍କୁ ବିରୋଧ କରି କୃଷକମାନଙ୍କ ପକ୍ଷରୁ ହେଉଥିବା ଏହି ‘ଚକା ଜାମ୍’ ସମୟରେ ବିଭିନ୍ନ ରାଜ୍ୟରେ ଜାତୀୟ ରାଜପଥ ଏବଂ ରାଜ୍ୟ ରାଜପଥକୁ ଅବରୋଧ କରାଇଛି। ଫଳରେ ଅବରୋଧ ସ୍ଥଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ରାଜଧାନୀ ଦିଲ୍ଲୀ ଭିତରକୁ ପଶିବେ ନାହିଁ ବୋଲି ସୂଚନା ଦେଇ କୃଷକମାନେ ଦିଲ୍ଲୀର ବିଭିନ୍ନ ସୀମାରେ ଆନ୍ଦୋଳନ ଜାରି ରଖିଛନ୍ତି। ଏହି ଚକାଜାମ୍ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଜାରି ରହି ଥିଲା ।
ପଞ୍ଜାବ ଓ ହରିଆଣାର କୃଷକମାନେ ‘ଚକା ଜାମ୍’ ସମୟରେ ରାଜ୍ୟର ବିଭିନ୍ନ ରାଜ୍ୟ ଓ ଜାତୀୟ ରାଜପଥକୁ ବନ୍ଦ କରିଛନ୍ତି। ଗାଜିପୁର ଆନ୍ଦୋଳନସ୍ଥଳୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ଜାରି କରାଯାଇଛି।
ସେହିପରି ଆନ୍ଦୋଳନକାରୀମାନେ ସାହାଜାନପୁର ସୀମା(ରାଜସ୍ଥାନ-ହରିଆଣା)ରେ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ଅନ୍ୟପକ୍ଷରେ ବେଙ୍ଗାଲୁରର ୟେହ୍ଲେଙ୍କା ପୁଲିସ୍ ଷ୍ଟେସନ୍ ସମ୍ମୁଖରେ ‘ଚକା ଜାମ୍’ ଡାକରା ଦେଇ ଆନ୍ଦୋଳନ କରୁଥିବା ଚାଷୀମାନଙ୍କୁ ବେଙ୍ଗାଲୁର ପୁଲିସ୍ ଅଟକ ରଖିଛି। ଜାମ୍ମୁ-ପଠାନକୋଟ ରାଜପଥରେ କୃଷକମାନେ ଏକତ୍ରିତ ହୋଇ ଦେଶବ୍ୟାପୀ ‘ଚକା-ଜାମ୍’ରେ ନିଜକୁ ସାମିଲ୍ କରିଛନ୍ତି।