ଅନ୍ବେଷା ଯୋଜନାକୁ ୫ ବର୍ଷ ବୃଦ୍ଧି କଲେ ସରକାର

0
7

ଭୁବନେଶ୍ବର : ସହରାଞ୍ଚଳରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ଅନ୍ବେଷା କାର୍ଯ୍ୟକ୍ରମକୁ ଆଉ ୫ ବର୍ଷ ବୃଦ୍ଧି କରିଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ୨୦୨୪-୨୫ ବର୍ଷ ମଧ୍ୟରେ ୨୫ ହଜାର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ଖର୍ଚ୍ଚ ହେବ ୫୬୯ କୋଟି ୯୦ ଲକ୍ଷ ଟଙ୍କା। ଏହାସହିତ ଯକ୍ଷ୍ମା ରୋଗୀଙ୍କ ଚିକିତ୍ସା ପାଇଁ ଯକ୍ଷ୍ମା ଲାବୋରେଟୋରିରେ ବରିଷ୍ଠ ସୁପର ଭାଇଜର ଟେକ୍ନିସିଆନ୍‌ ପଦବି ସୃଷ୍ଟି କରାଯାଇଛି। ଓଡ଼ିଶା ଜୁଡିସିଆଲ ସର୍ଭିସ ନିୟମ ୨୦୦୭ରେ ସଂଶୋଧନ କରାଯିବା ସହ ମୋଟ ୧୦ଟି ପ୍ରସ୍ତାବକୁ କ୍ୟାବିନେଟ୍‌ ମୋହର ମାରିଛି।

କ୍ୟାବିନେଟ୍‌ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ରାଜ୍ୟ ସରକାର ୨୦୧୫-୧୬ ଆର୍ଥିକ ବର୍ଷରୁ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ପିଲାମାନଙ୍କୁ ପାଇଁ ଅନ୍ବେଷା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏହି ଯୋଜନାରେ ଏସ୍‌ସି-ଏସ୍‌ଟି ପିଲାମାନଙ୍କୁ ପ୍ରତିବର୍ଷ ସହରାଞ୍ଚଳରେ ଅବସ୍ଥିତ ବିଭିନ୍ନ ଖ୍ୟାତି ସମ୍ପନ୍ନ ସରକାରୀ ଓ ବେସରକାରୀ ମାନ୍ୟତା ପ୍ରାପ୍ତ ଇଂରାଜି ମାଧ୍ୟମ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ପ୍ରଦାନ କରାଯାଉଛି। ରାଜ୍ୟର ୧୭ଟି ଜିଲ୍ଲାର ୧୭୭ଟି ବିଦ୍ୟାଳୟରେ ୨୧ ହଜାର ୬୮୨ ଜଣ ଛାତ୍ର ଛାତ୍ରୀଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ଶିକ୍ଷା ପ୍ରଦାନ କରାଯାଉଛି। ରାଜ୍ୟ ସରକାରଙ୍କ ତରଫରୁ ଏହି ଛାତ୍ରଛାତ୍ରୀମାନଙ୍କ ଶିକ୍ଷା ଗ୍ରହଣ ନିମନ୍ତେ ଆର୍ଥିକ ଓ ଆନୁଷଙ୍ଗିକ ସହାୟତା ପ୍ରଦାନ କରାଯାଉଛି। ଏହି ଯୋଜନାରୁ ମିଳିଥିବା ସଫଳତାକୁ ଦୃଷ୍ଟିରେ ରଖି ସରକାର ଆସନ୍ତା ୫ ବର୍ଷ ପାଇଁ ଏହାକୁ ପରିବର୍ଦ୍ଧିତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ୨୦୨୦-୨୧ ଆର୍ଥିକ ବର୍ଷରୁ ୨୦୨୪-୨୫ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ୨୫ ହଜାର ଏସ୍‌ସି-ଏସ୍‌ଟି ପିଲାଙ୍କୁ ଅନ୍ବେଷା ହଷ୍ଟେଲ୍‌ରେ ରଖାଯାଇ ଶିକ୍ଷା ପ୍ରଦାନ କରାଯିବ।

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରସ୍ତାବ ଅନୁଯାୟୀ ଓଡ଼ିଶା ଲାବୋରେଟୋରି ଟେକ୍ନିସିଆନ୍‌ ସେବା ସଂଶୋଧନ ନିୟମ ୨୦୨୧ ନୂଆ କରି ପ୍ରଚଳନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। କ୍ୟାବିନେଟ୍‌ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଥିଲେ, ଏବେ ଏହି ପଦବିଗୁଡ଼ିକ ୨୦୧୯ ସେବା ନିୟମ ସର୍ତ୍ତାବଳୀ ଅନୁଯାୟୀ ପୂରଣ ହେଉଥିଲା। କିନ୍ତୁ ବରିଷ୍ଠ ଯକ୍ଷ୍ମା ଲାବୋରେଟୋରିରେ ବରିଷ୍ଠ ଟେକ୍ନିସିଆନ୍‌ ସୁପର ଭାଇଜରମାନଙ୍କୁ ନିଯୁକ୍ତି ଦିଆଯିବ। ଏଥିପାଇଁ ନୂଆ ପଦବି ସୃଷ୍ଟି କରାଯାଇଛି। ନିଯୁକ୍ତି ପାଇଁ ୧୦୦ ମାର୍କର ଲିଖିତ ପରୀକ୍ଷା ଦୁଇଘଣ୍ଟା ଅବଧିର କରାଯିବ। ଏଥିରେ ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନରେ ପରୀକ୍ଷା କରାଯିବ। ପ୍ରତି ଭୁଲ ଉତ୍ତର ପାଇଁ ୦.୨୫ ପ୍ରତିଶତ ନମ୍ବର କାଟି ଦିଆଯିବ। ପରୀକ୍ଷାର ୬୦ ପ୍ରତିଶତ ପାଠ୍ୟକ୍ରମ ଅନ୍ତର୍ଭୁକ୍ତ ଓ ୨୫ ପ୍ରତିଶତ ପ୍ରାକ୍ଟିକାଲ, ୧୦ ପ୍ରତିଶତ ପ୍ରଶ୍ନ ଏରିଥିମେଟିକ୍‌ ଓ ୫ ପ୍ରତିଶତ ହାଇସ୍କୁଲ ସ୍ତରର ଇଂରାଜି ଭାଷା ଉପରେ ପରୀକ୍ଷା କରାଯିବ। ଏହି ପରୀକ୍ଷା ଦେବାକୁ ଡିଏମ୍‌ଏଲ୍‌ଟିରେ ଡିପ୍ଲୋମା, ବିଏମ୍‌ଏଲ୍‌ଟି କିମ୍ବା ଏମ୍‌ଏଲ୍‌ଟି ପ୍ରାର୍ଥୀମାନେ ଲାବୋରେଟୋରି ଟେକ୍ନସିଆନ୍‌ ପାଇଁ ଆବେଦନ କରିପାରିବେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ଜିଲ୍ଲା ଜଜ୍‌ଙ୍କ କ୍ୟାଡରରେ ନିଯୁକ୍ତି ପ୍ରକ୍ରିୟାକୁ ସହଜ କରିବା ପାଇଁ ସରକାର ଓଡ଼ିଶା ସୁପରିୟର ଜୁଡିସିଆଲ୍‌ ସର୍ଭିସ ଏବଂ ଓଡ଼ିଶା ଜୁଡିସିଆଲ୍‌ ସର୍ଭିସ ନିୟମ ୨୦୦୭ରେ ସଂଶୋଧନ କରିଛନ୍ତି। ଏଣିକି ବରିଷ୍ଠତା ଆଧାରରେ ଓ.ଏସ୍‌.ଜେ.ଏସ୍‌ ଏବଂ ଓ.ଜେ.ଏସ୍‌ ନିୟମାବଳୀରେ ସଂଶୋଧନ କରାଯାଇ ନିଯୁକ୍ତି ବର୍ଷ ଅଗଷ୍ଟ ୧ ତାରିଖ ପରିବର୍ତ୍ତେ ଏପ୍ରିଲ୍‌ ୧ ତାରିଖ କରିବାକୁ କ୍ୟାବିନେଟ୍‌ ନିଷ୍ପତ୍ତି ନେଇଛି। ଓଡ଼ିଶା ଲୋକସେବା ଆୟୋଗଙ୍କର ୨୦୧୬-୧୭ ବର୍ଷର ବାର୍ଷିକ ବିବରଣୀ ବିଧାନସଭାରେ ଉପସ୍ଥାପନ କରିବାକୁ କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି। ସେହିପରି ଓଡ଼ିଶା ମଙ୍ଗଳ ସେବା (ନିଯୁକ୍ତି ଓ ଚାକିରି ସର୍ତ୍ତାବଳୀ) ନିୟମ ୧୯୯୨ରେ ସଂଶୋଧନ, ଓଡ଼ିଶା ଅଧସ୍ତନ ମଙ୍ଗଳ ସେବା (ନିଯୁକ୍ତି ଓ ଚାକିରି ସର୍ତ୍ତାବଳୀ) ନିୟମ ୧୯୯୨ରେ ସଂଶୋଧନ ଏବଂ ବିଧାନସଭା ବଜେଟ୍‌ ଅଧିବେଶନର ସତ୍ରାବସାନକୁ କ୍ୟାବିନେଟ୍‌ ମଞ୍ଜୁରୀ ଦେଇଛି।

LEAVE A REPLY

Please enter your comment!
Please enter your name here