କୋଭିଡ ନିୟମ ନ ମାନିବାରୁ କୋଚିଂ ସେଂଟର୍‌ ହେଲା ସିଲ୍‌

0
12

କରଞ୍ଜିଆ : ସଂକ୍ରମଣ ବଢିବା ପରେ ତତ୍ପରତା ଦେଖାଇଲା ପ୍ରଶାସନ। କୋଭିଡ ନିୟମ ଉଲ୍ଲଘଂନ କରି କମ୍ପ୍ୟୁଟର ଶିକ୍ଷା ପ୍ରଦାନ କରୁଥିବା କଳିଙ୍ଗ ବିକାଶ କମ୍ପ୍ୟୁଟର ଶିକ୍ଷାକେନ୍ଦ୍ରକୁ ସିଲ୍ କଲା ପ୍ରଶାସନ। ଖବର ପାଇ କରଞ୍ଜିଆ ଏନ୍ଏସି ଛକରେ ଥିବା କଳିଙ୍ଗ ବିକାଶ କମ୍ପ୍ୟୁଟର କୋଚିଂ ସେଣ୍ଟର ଉପରେ ଉଭୟ କରଞ୍ଜିଆ ତହସିଲଦାର ଓ କରଞ୍ଜିଆ ପୋଲିସର ମିଳିତ ଚଢ଼ାଉ ହୋଇଛି। ଚଢ଼ାଉ କରାଯାଇ କୋଚିଂ ସେଣ୍ଟରକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସିଲ୍ କରାଯାଇଛି। ଅଯଥା ଗହଳି କରିବା ସହିତ କୋଚିଂ ସେଣ୍ଟରକୁ ପାଠ ପଢିବା ପାଇଁ ଆସୁଥିବାରୁ ସଂକ୍ରମଣ ବଢିବାର ଆଶଙ୍କା କରି ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି। ଦୋକାନ ବଜାରରେ ମଧ୍ୟ କୋଭିଡ ନିୟମକୁ କଡାକଡ଼ି ପାଳନ କରିବା ପାଇଁ ନିର୍ଦ୍ଦେଶ ଦେଇଛି ଜିଲ୍ଲା ପ୍ରଶାସନ। ତେବେ ପୂର୍ବରୁ ମଧ୍ୟ ଅନେକ ସ୍ଥାନରେ କରୋନା କଟକଣା ମାନୁନଥିବା କୋଚିଂ ସେଂଟର ଉପରେ ଚଢାଉ କରି ତାହାକୁ ସିଲ୍‌ କରିଛି ପ୍ରଶାସନ।

ସେପଟେ ଆଜି ପୁଣି ନୂଆ ରେକର୍ଡ କରିଛି କରୋନା। ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୦ ହଜାର ୪୧୩ ଜଣ କରୋନା ପଜିଟିଭ ଚିହ୍ନଟ। ଗତକାଲି ଏହି ସଂଖ୍ୟା ୮ ହଜାର ୬୮୧ ଥିବା ବେଳେ ଆଜି ତାହା ୧୦ ହଜାର ପାର୍ ହୋଇଛି। ଏହି ସଂକ୍ରମଣ ସଂଖ୍ୟା ଲୋକଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି।

ତେବେ ନୂଆ ୧୦୪୧୩ ସଂକ୍ରମିତଙ୍କ ମଧ୍ୟରୁ ପୁଣି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଚିହ୍ନଟ। ଖୋର୍ଦ୍ଧାରୁ ୧୭୯୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୧୦୦ ପଜିଟିଭ ଚିହ୍ନଟ । ସେହିପରି କଟକରୁ ୮୨୮, ପୁରୀରୁ ୫୩୩, ବରଗଡ଼ରୁ ୫୧୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ଝାରସୁଗୁଡ଼ାରୁ ୪୪୨, ସମ୍ବଲପୁରରୁ ୪୨୬, ନୂଆପଡ଼ାରୁ ୪୧୮, ଅନୁଗୁଳରୁ ୩୯୨, ନବରଙ୍ଗପୁରରୁ ୩୭୮, କଳାହାଣ୍ଡିରୁ ୩୭୬, ଯାଜପୁରରୁ ୩୩୨, ମୟୂରଭଞ୍ଜରୁ ୨୪୭, ଗଞ୍ଜାମରୁ ୨୩୨, ନୟାଗଡ଼ରୁ ୨୧୮, ଭଦ୍ରକରୁ ୨୦୧, ରାୟଗଡ଼ାରୁ ୨୦୦, ବଲାଙ୍ଗିରରୁ ୧୬୦, ଗଜପତିରୁ ୧୫୬, ସୁବର୍ଣ୍ଣପୁରରୁ ୧୩୦, କେନ୍ଦୁଝରରୁ ୧୨୬, ଦେବଗଡ଼ରୁ ୧୦୩ ଓ ଷ୍ଟେଟ୍ ପୁଲରୁ ୩୬୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଏଠାରେ କହିରଖୁଛୁ ଯେ, ରାଜ୍ୟରେ ଭୟଙ୍କର ଭାବରେ ସଂକ୍ରମଣହାର ବଢୁଥିବାରୁ ତାହାକୁ ପ୍ରତିହତ କରିବା ଲାଗି ପ୍ରଶାସନ ଏପରି ନିଷ୍ପତ୍ତି ନେଇଛି। ଅମାନିଆଙ୍କ ଉପରେ ପୋଲିସ ନଜର ରଖିବା ସହ ମୋଟା ଅଙ୍କର ଜୋରିମାନ ଆଦାୟ  କରୁଥିବା ନେଇ ମଧ୍ୟ ପୂର୍ବରୁ ପୋଲିସ ମହାନିର୍ଦ୍ଦେଶକ ସୂଚନା ଦେଇସାରିଛନ୍ତି।

LEAVE A REPLY

Please enter your comment!
Please enter your name here