ଅସହାୟ ବୃଦ୍ଧାଙ୍କୁ ମୁଖାଗ୍ନି ଦେବା ଘଟଣା ରେ ଟ୍ୱିଟ୍‌ ଯୋଗେ ଡାକ୍ତର ଶଙ୍କର ରାମଚନ୍ଦାନୀଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

0 12

ବୁର୍ଲା, : ଜଣେ ଅସହାୟ ବୃଦ୍ଧାଙ୍କୁ ଦୀର୍ଘ ୪ ବର୍ଷ ଧରି ଭିମସାରରେ ଚିକିତ୍ସା କରିବା ଏବଂ ମୃତ୍ୟୁ ପରେ ପରିବାର ଲୋକେ ନ ଆସିବାରୁ ପୁଅ ପରି ମୁଖାଗ୍ନି ଦେଇ ଡାକ୍ତର ଶଙ୍କର ରାମଚନ୍ଦାନୀ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ଆଜି ଏନେଇ ସବୁ ଆଞ୍ଚଳିକରୁ ଆରମ୍ଭ କରି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ସବୁ ମହଲରୁ ତାଙ୍କୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି । ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟ୍ୱିଟ୍‌ କରି ଡାକ୍ତର ରାମଚନ୍ଦାନୀଙ୍କୁ ପ୍ରଶଂସା କରିଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି ଯେ, ଜଣେ ୬୨ ବର୍ଷର ଅସହାୟ ବୃଦ୍ଧାଙ୍କୁ ମୃତ୍ୟୁ ପରେ ସମ୍ମାନଜନକ ବିଦାୟ ଦେଇ ଡାକ୍ତର ରାମଚନ୍ଦାନୀ ଏକ ଉଦାହରଣ ସୃଷ୍ଟି କରିଛନ୍ତି । ତାଙ୍କର ଏଭଳି ମହନୀୟ କାମ ଏକ ଉଦାହରଣ ହୋଇ ରହିବ ବୋଲି ଉଲ୍ଲେଖ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ସୋନପୁର ଜିଲ୍ଲାର ବୀରମହାରାଜପୁର ଥାନା ଜଲେବିରା ଗାଁର ପୁଷ୍ପାଞ୍ଜଳୀ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇଥିଲେ । ପରିବାର ଲୋକେ ତାଙ୍କୁ ଗତ ୨୦୧୮ ମସିହା ଜୁଲାଇ ମାସ ୭ ତାରିଖ ଦିନ ବୁର୍ଲା ମେଡିକାଲରେ ଆଣି ଭର୍ତ୍ତି କରିଥିଲେ । କିଛିଦିନ ପରିବାର ଲୋକେ ସାଙ୍ଗରେ ରହିବା ପରେ ତାଙ୍କୁ ଏକୁଟିଆ ମେଡିକାଲରୁ ଛାଡି ଚାଲି ଯାଇଥିଲେ । ଏହାପରେ ପୁଷ୍ପାଞ୍ଜଳୀ ଏକୁଟିଆ ମେଡିକାଲ ବେଡରେ ଅସହାୟ ଅବସ୍ଥାରେ ପଡି ରହିଥିଲେ । ଏହା ଜାଣିବା ପରଠାରୁ ଡାକ୍ତର ରାମଚନ୍ଦାନୀ ତୁରନ୍ତ ସାହାଯ୍ୟ ପାଇଁ ଆଗେଇ ଆସିଥିଲେ । ସେହିଦିନରୁ ପୁଷ୍ପାଞ୍ଜଳିଙ୍କ ସମସ୍ତ ଆବଶ୍ୟକତା ପୂରଣ କରି ଆସୁଥିଲେ ରାମଚନ୍ଦାନୀ । ଇତିମଧ୍ୟରେ ପୁଷ୍ପାଞ୍ଜଳି ବି ରାମଚନ୍ଦାନୀଙ୍କୁ ନିଜର ପୁଅ ଭାବେ ଭାବି ନେଇଥିଲେ । ତେବେ, ଗତକାଲି ପୁଷ୍ପାଞ୍ଜଳିଙ୍କ ବିୟୋଗ ପରେ ବି ପରିବାର ଲୋକ ଖବର ପାଇଥିଲେ ସୁଦ୍ଧା ମେଡିକାଲକୁ ଶବ ନେବାକୁ ଆସିନଥିଲେ । ଫଳରେ ଡାକ୍ତର ରାମଚନ୍ଦାନୀ ପୁଅ ପରି ଉକ୍ତ ବୃଦ୍ଧାଙ୍କୁ ବୁର୍ଲା ବିଷ୍ଣୁମନ୍ଦିର ପଡା ଶ୍ମଶାନକୁ ନେଇ ଅନ୍ତ୍ୟେଷ୍ଟି ସଂପନ୍ନ କରିଛନ୍ତି । ଖାଲି ସେତିକି ନୁହେଁ, ଆଜି ମହାନଦୀରେ ତାଙ୍କ ଅସ୍ଥି ବିସର୍ଜନ କରି ଅମର ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିଛନ୍ତି । ତାଙ୍କର ଏହି ମହାନତାକୁ ନେଇ ସବୁ ମହଲରେ ପ୍ରଶଂସା କରାଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ମଧ୍ୟ ପ୍ରଶଂସାରେ ଶତମୁଖ ହୋଇଛନ୍ତି।

Leave A Reply

Your email address will not be published.