ଆକର୍ଷଣୀୟ ଅଫର୍‌ ଦେଖାଇ ଯୁବ ଡାକ୍ତରଙ୍କ ଠାରୁ ସାଇବର ଲୁଟେରା ଠକିନେଲେ ୧୧ ଲକ୍ଷ ଟଙ୍କା

0 26

ଆଳି :  ବିଭିନ୍ନ ଆପ୍‌ ମାଧ୍ୟମରେ ବିଭିନ୍ନ ଆକର୍ଷଣୀୟ ଅଫର୍‌ ଦେଇ ନକଲି କମ୍ପାନୀ ନାମରେ ଲୁଟ୍‌ କରୁଛନ୍ତି ସାଇବର ଲୁଟେରା । ସାଇବର୍‌ ଲୁଟେରାଙ୍କ ଏଭଳି ଚକ୍ରାନ୍ତର ଶିକାର ହୋଇଛନ୍ତି ଜଣେ ଯୁବ ଡାକ୍ତର । ଅର୍ଥକୁ ବହୁ ଗୁଣ କରିଦେବାର ଲୋଭ ଦେଖାଇ ସେମାନେ ସଂପୃକ୍ତ ଡାକ୍ତରଙ୍କଠାରୁ ପ୍ରାୟ ୧୧ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ।

ଅଭିଯୋଗରୁ ପ୍ରକାଶ ଯେ, କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ବଡ଼ାମ୍ବିଳାର ଅକ୍ଷୟ ମହାନ୍ତିଙ୍କ ପୁଅ ବାଦଲ ଡାକ୍ତରୀ ପାଠ ଶେଷ ପରେ ବର୍ଷକ ତଳେ ରାଜକନିକା ସରକାରୀ ଡାକ୍ତରଖାନାରେ ନିଯୁକ୍ତି ପାଇଥିଲେ । ଗାଁରେ ଘର ତିଆରି କରିବା ପାଇଁ ସେ ବ୍ୟାଙ୍କରୁ ଋଣ କରିଥିଲେ । ମେ’ ମାସ ୧ ତାରିଖ ଇନ୍‌ଷ୍ଟାଗ୍ରାମରେ ତାଙ୍କ ମୋବାଇଲ ନମ୍ବରକୁ ବିଟ୍‌କଏନ ମାଇନିଂ ଲିମିଟେଡ୍‌ ଡଟ୍‌କମ୍‌ରୁ ଏକ ମେସେଜ୍‌ ଆସିଥିଲା । ୧୨୦ ଡଲାର ଅର୍ଥାତ ୯ ହଜାର ଟଙ୍କା ପଠାଇଲେ ବଦଳରେ ୧୩୦୦ ଡଲାର ଅର୍ଥାତ ୧ ଲକ୍ଷ ଟଙ୍କା ମିଳିବ ବୋଲି ଲେଖାଥିଲା । ବାଦଲ ଏହାକୁ ସତ ଭାବି ୯ ହଜାର ଟଙ୍କା ସଂପୃକ୍ତ କମ୍ପାନୀ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିଲେ । ପରେ ବାରମ୍ବାର ଆକର୍ଷଣୀୟ ମେସେଜ୍‌ ଆସିଥିଲା । ବାଦଲ ଆକର୍ଷିତ ହୋଇ ମେ’ ୩୦ ତାରିଖ ସୁଦ୍ଧା ୯ଟି ପର୍ଯ୍ୟାୟରେ ୧୦ ଲକ୍ଷ ୫୨ ହଜାର ୧୦୦ ଟଙ୍କା ସଂପୃକ୍ତ କମ୍ପାନୀର ଆକାଉଣ୍ଟକୁ ଟ୍ରାନ୍ସଫର କରିଥିଲେ । ଏହା ପରେ ବାଦଲଙ୍କର ସନ୍ଦେହ ହୋଇଥିଲା । ଏ ନେଇ ସେ ଆଳି ଥାନା ଆଇଆଇସିଙ୍କୁ ଜଣାଇବା ପରେ ତାଙ୍କ ପରାମର୍ଶ କ୍ରମେ କଟକ କ୍ରାଇମ୍‌ବ୍ରାଞ୍ଚ ସାଇବର ସେଲ୍‌ରେ ଅଭିଯୋଗ କରିଛନ୍ତି । ସଂପୃକ୍ତ ଫେକ୍‌ କମ୍ପାନୀ ପକ୍ଷରୁ ଏବେ ବି ବାଦଲଙ୍କ ଇନ୍‌ଷ୍ଟାଗ୍ରାମ୍‌ ଓ ହ୍ୱାଟ୍‌ସଆପ୍‌କୁ ପୁଣି ଟଙ୍କା ପଠାଇବା ପାଇଁ ମେସେଜ୍‌ ଆସୁଥିବା ଜଣାଯାଇଛି ।

Leave A Reply

Your email address will not be published.