ଆଜିଠାରୁ ଖୋଲିଲା ବିଶ୍ୱପ୍ରସିଦ୍ଧ ମା’ ତାରିଣୀ ମନ୍ଦିର

ଦର୍ଶନ କରିବେ କିନ୍ତୁ ଭୋଗ ଲଗାଇପାରିବେନି

0 10

କେନ୍ଦୁଝର, :  ଆଜି ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା ବିଶ୍ୱପ୍ରସିଦ୍ଧ ମା’ତାରିଣୀ ମନ୍ଦିର । କୋଭିଡ୍‌ ଗାଇଡ୍‌ଲାଇନ୍‌ ମଧ୍ୟରେ କେନ୍ଦୁଝରର ଅଧିଷ୍ଠାତା ଦେବୀ ମା’ତାରିଣୀଙ୍କୁ ଦର୍ଶନ କରିବେ ଭକ୍ତ। ଧର୍ମାନୁଷ୍ଠାନ ଗୁଡିକର ଟ୍ରଷ୍ଟବୋର୍ଡ ଓ ପରିଚାଳନା କମିଟିର ସଦସ୍ୟମାନେ କୋଭିଡ୍‌ ଗାଇଡ୍‌ ଲାଇନ୍‌କୁ କଡାକଡି ପାଳନ କରିବେ ବୋଲି ସେ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ଜିଲ୍ଲାରେ ଥିବା ସମସ୍ତ ଚର୍ଚ୍ଚ, ମସଜିଦ୍‌ ଓ ଗୁରୁଦ୍ୱାର ସମସ୍ତ ଧର୍ମାନୁଷ୍ଠାନ ନେଇ ଜିଲ୍ଲାପାଳ ଆଶିଷ ଠାକରେ ସୂଚନା ଦେଇଛନ୍ତି।

କଟକଣା ନିୟମ ଅନୁଯାୟୀ, କେବଳ ବ୍ୟାରିକେଡ୍‌ ମଧ୍ୟରେ ଭକ୍ତମାନେ ଦର୍ଶନ କରିପାରିବେ । ଭୋଗ କିମ୍ବା ଅନ୍ୟାନ୍ୟ ସାମଗ୍ରୀ ଦେବାଦେବୀଙ୍କୁ ସମର୍ପଣ କରିପାରିବେ ନାହିଁ । ମାସ୍କ ପିନ୍ଧିବେ ଓ ଅତିକମ୍‌ରେ ୬ ଫୁଟ୍‌ ବ୍ୟବଧାନରେ ପ୍ରବେଶ କରିବେ । ଏକକାଳୀନ ୫ ଜଣରୁ ଅଧିକ ପ୍ରବେଶ କରିବେ ନାହିଁ । ଧର୍ମାନୁଷ୍ଠାନର ପ୍ରବେଶ ଓ ପ୍ରସ୍ଥାନ ପଥରେ ସାନିଟାଇଜର ବ୍ୟବସ୍ଥା ରହିବ । ଏହାସହିତ ନିୟମିତ ବ୍ୟବଧାନରେ ଧର୍ମାନୁଷ୍ଠାନ ପରିସରକୁ ସାନିଟାଇଜ୍‌ କରାଯିବ। ୬୫ ବର୍ଷରୁ ଉଦ୍ଧ୍ୱର୍ ଓ ୧୦ ବର୍ଷ ବୟସରୁ କମ୍‌ ଶିଶୁଙ୍କ ଦର୍ଶନ ପାଇଁ କଟକଣା କରାଯାଇଛି । ଏହାସହିତ ଗର୍ଭବତୀମାନଙ୍କୁ ମଧ୍ୟ ଧର୍ମାନୁଷ୍ଠାନରେ ପ୍ରବେଶ ବାରଣ ରହିଛି । ଶ୍ରଦ୍ଧାଳୁମାନେ ମଦ୍ୟପାନ, ପାନ, ଗୁଟ୍‌କା ଅନ୍ୟାନ୍ୟ ମାଦକ ଦ୍ରବ୍ୟ ସେବନ କରି ପ୍ରବେଶ କରିପାରିବେ ନାହିଁ ବୋଲି କଟକଣାରେ ଉଲ୍ଲେଖ ରହିଛି ।

ତେବେ ଶ୍ରାବଣ ମାସ ଯୋଗୁ ସୋମବାର ଶିବ ମନ୍ଦିରରେ କାଉଡିଆଙ୍କ ଭିଡ଼ ଆଶଙ୍କା କରି ୧୬ ତାରିଖ ସମସ୍ତ ଶୈବପୀଠ ବନ୍ଦ ରହିବ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଜାରି କରିଛନ୍ତି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ମା’ ତାରିଣୀ ଟ୍ରଷ୍ଟବୋର୍ଡ ପକ୍ଷରୁ ମଧ୍ୟ ସୂଚନା ପ୍ରଦାନ କରି କୋଭିଡ୍‌ କଟକଣାକୁ ଭକ୍ତମାନେ ପାଳନ କରିବାକୁ ନିବେଦନ କରାଯାଇଛି । ମା’ଙ୍କ ଦର୍ଶନ ପାଇଁ ବ୍ୟାରିକେଡ୍‌ ବ୍ୟବସ୍ଥା ସହ ଜଣକ ପରେ ଆଉ ଜଣେ ଦର୍ଶନ କରିବାକୁ ଯିବେ । ଭକ୍ତଙ୍କ ଭୋଗଡାଲା ଧର୍ମାନୁଷ୍ଠାନ ଭିତରକୁ ଯିବ ନାହିଁ କିମ୍ବା ସେଠାରେ ଭକ୍ତଙ୍କୁ ପାଦୁକା ଓ ସିନ୍ଦୁର ଦିଆଯିବନି । ଦେବାଦେବୀଙ୍କୁ ଭୋଗ ନଡିଆ ଅର୍ପଣ କରିବାକୁ ଚାହିଁଲେ ମୁଖ୍ୟ ପ୍ରବେଶ ପଥରେ ହୁଣ୍ଡିରେ ଦେଇପାରିବେ । ଯାହା ମା’ଙ୍କୁ ଲାଗି କରାଯିବ । ଏହା ବାଦ୍‌ ସେବାୟତ ଓ କର୍ମଚାରୀ ଥଣ୍ଡାଜନିତ ରୋଗରେ ସଂକ୍ରମଣ ହେଲେ ଧର୍ମାନୁଷ୍ଠାନରେ ପ୍ରବେଶ କରିପାରିବେ ନାହିଁ ବୋଲି କୁହାଯାଇଛି । ଭକ୍ତଙ୍କ ସୁରକ୍ଷା ପାଇଁ ଟ୍ରଷ୍ଟବୋର୍ଡ ସଦସ୍ୟ ଓ ଧର୍ମାନୁଷ୍ଠାନ ପରିଚାଳନା କମିଟି କୋଭିଡ୍‌ କଟକଣାକୁ କଡାକଡି ଅନୁଧ୍ୟାନ କରିବେ । ନିୟମ ଉଲ୍ଲଂଘନ କଲେ ସ୍ଥାନୀୟ ତହସିଲଦାର ଓ ପୁଲିସ ପ୍ରଶାସନ ପକ୍ଷରୁ ଦଣ୍ଡବିଧାନ ଓ ଜରିମାନା ବ୍ୟବସ୍ଥା ରହିଛି । କୌଣସି ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଲେ ପ୍ରଶାସନ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ଉଲ୍ଲେଖ ରହିଛି ।

ସୂଚନାଯୋଗ୍ୟ, କରୋନା ପ୍ରକୋପ କମିବା ପରେ ଚଳିତବର୍ଷ ଜାନୁଆରୀ ୧୮ ତାରିଖରେ କେନ୍ଦୁଝରର ଅଧିଷ୍ଠାତା ଦେବୀ ତଥା ବିଶ୍ୱ ପ୍ରସିଦ୍ଧ ମା’ ତାରିଣୀ ମନ୍ଦିର ସମେତ ଅନ୍ୟାନ୍ୟ ଧର୍ମାନୁଷ୍ଠାନ ଭକ୍ତଙ୍କ ପାଇଁ ଦ୍ୱାରା ଖୋଲିଥିଲା । ତେବେ କରୋନାର ଦ୍ୱିତୀୟ ଲହରୀ ପୁଣି କାୟାବିସ୍ତାର କରିବା ଫଳରେ ସରକାର ଲକ୍‌ଡାଉନ୍‌ ଜାରି କରିବା ସହିତ ରାଜ୍ୟର ସମସ୍ତ ଧାର୍ମିକ ଅନୁଷ୍ଠାନକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଥିଲେ । ତଦନୁଯାୟୀ ମେ’ମାସ ୫ ତାରିଖରୁ ପୁଣି ଧର୍ମାନୁଷ୍ଠାନ ବନ୍ଦ ରହିଥିଲା ।

Leave A Reply

Your email address will not be published.