ଆଜିଠୁ ଆଂଶିକ ଅନ୍‌ଲକ୍‌ ହେଲା ରାଜ୍ୟ

0 20

ଭୁବନେଶ୍ୱର : ୫୭ ଦିନ ପରେ  ଲକଡାଉନରୁ ଅନଲକ୍‌ ହେଲା ଓଡ଼ିଶା । ଲକଡାଉନ କଟକଣାରେ ବନ୍ଦ ପଡ଼ିଥିବା ସବୁ ଦୋକାନ ବଜାରରୁ ତାଲା ଖୋଲିବାକୁ ଅନୁମତି ଦେଇଛନ୍ତି ରାଜ୍ୟ  ସରକାର । ସାରା ରାଜ୍ୟରେ ମଲ୍‌, ସ୍ପା, ପାର୍ଲରକୁ ଛାଡ଼ି ବାକି ସବୁ ଦୋକାନ ଖୋଲିବ ଆଜି ଠାରୁ  । ଆଜିଠୁ ସମସ୍ତ ଉଠାଦୋକାନ ଓ ଛୋଟ ସେଲୁନ ବି ଖୋଲିଯିବ । ଜୀବନ ଜୀବିକାକୁ ଗୁରୁତ୍ୱ ଦେଇ ରାଜ୍ୟ ସରକାର ଅନଲକ୍‌ କରିଛନ୍ତି। ଅନ୍ୟପକ୍ଷରେ ବିପଦ ସମ୍ପୂର୍ଣ୍ଣ ଟଳିନଥିବାରୁ ରାଜ୍ୟରେ ଆଂଶିକ ଲକଡାଉନ ଅବଧିକୁ ଆହୁରି ୨ ସପ୍ତାହ ବଢ଼ାଯାଇଛି ।

ଅନଲକ୍‌ ପ୍ରକ୍ରିୟାରେ ଆଗେଇଛି ଓଡ଼ିଶା । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି, ସଂକ୍ରମଣ କମ୍‌ ଥିବା (ପଜିଟିଭ ହାର ୫% ତଳେ) ୨୦ ଜିଲ୍ଲାକୁ ‘କ’ ବର୍ଗରେ ରଖାଯାଇଛି । ଏଠାରେ ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରହିବ । ଖାଲି ସେତିକି ନୁହେଁ, ଏଇ ୨୦ ଜିଲ୍ଲାରେ ଆଉ ଶନିବାର, ରବିବାର ସଟଡାଉନ ଲାଗୁ ହେବନି ।

ବାକି ୧୦ ଜିଲ୍ଲାକୁ ‘ଖ’ ବର୍ଗଭୁକ୍ତ କରାଯାଇଛି । ଏସବୁ ଜିଲ୍ଲାରେ ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ସକାଳ ୬ରୁ ଦିନ ୨ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ ଖୋଲା ରହିବ । ଏ ୧୦ ଜିଲ୍ଲା ଶନିବାର, ରବିବାର ସଟଡାଉନ ରହିବ ।ରାଜ୍ୟରେ କରୋନା ସଂକ୍ରମଣ ହାର କମୁଛି । ହେଲେ ଏବେ ବି ସ୍ଥିତି ସମ୍ପୂର୍ଣ୍ଣ ବିପଦମୁକ୍ତ ନୁହେଁ। ତଥାପି ଜୀବନ ଜୀବିକାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଲକଡାଉନ କଟକଣାକୁ ପୂର୍ବାପେକ୍ଷା ବହୁ ମାତ୍ରାରେ କୋହଳ କରିଛନ୍ତି । ଏହାସହ ଜୁଲାଇ ୧୬ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟରେ ଆଂଶିକ ଲକଡାଉନ ବଳବତ୍ତର ରହିବ ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି ।

ସଂକ୍ରମଣ କମ୍‌ଥିବାରୁ ବର୍ଗ ‘କ’ ତାଲିକାରେ ପୂର୍ବରୁ ୧୭ ଜିଲ୍ଲା ଥିଲା । ଆଉ ୩ ଜିଲ୍ଲା ଏଥିରେ ସାମିଲ ହୋଇଛି । ‘କ’ ବର୍ଗ ତାଲିକାରେ ପୂର୍ବରୁ ବରଗଡ଼, ବଲାଙ୍ଗିର, ବୌଦ୍ଧ, ଦେବଗଡ଼, ଗଜପତି, ଗଞ୍ଜାମ, ଝାରସୁଗୁଡ଼ା, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, ରାୟଗଡ଼ା, ସମ୍ବଲପୁର, ସୋନପୁର, ସୁନ୍ଦରଗଡ଼ ଜିଲ୍ଲା ଥିଲେ । ଏବେ ଅନୁଗୁଳ, ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲା ଅନ୍ତର୍ଭୁକ୍ତ ହୋଇଛି ।‘ଖ’ ବର୍ଗ ତାଲିକାରେ ନୟାଗଡ଼, ପୁରୀ, କଟକ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାକୁ ରଖାଯାଇଛି ।ଏସବୁ ଜିଲ୍ଲାରେ କରୋନା ପଜିଟିଭ୍‌ ହାର ୫%ରୁ ୧୦% ଭିତରେ ଅଛି ।

କରୋନା ମାଡ଼ରେ ପ୍ରଭାବିତ ଜୀବିକାକୁ ଟ୍ରାକକୁ ଫେରାଇ ଆଣିବା ପାଇଁ ସରକାର ବହୁଳ ମାତ୍ରାରେ ସଂକ୍ରମଣ ଖସିଥିବା ୨୦ ଜିଲ୍ଲା ପାଇଁ ଅନେକ କଟକଣା କୋହଳ କରିଛନ୍ତି । ଏସବୁ ଜିଲ୍ଲାରେ ବସ୍‌ ଚଳାଚଳ ପାଇଁ ଅନୁମତି ମିଳିଛି । ବସଗୁଡ଼ିକ ଏହି ୨୦ ଜିଲ୍ଲା ଭିତରେ ହିଁ ଚଳାଚଳ କରିପାରିବ । ଯେତିକି ସିଟ୍‌, ତା’ଠାରୁ ଅଧିକ ଯାତ୍ରୀ ବସ୍‌ରେ ଯାତ୍ରା କରିବେ ନାହିଁ । ଏହାଛଡ଼ା ଟ୍ୟାକ୍ସି ଓ ଅଟୋ ବି ଗଡ଼ିବ । ମାତ୍ର ଟ୍ୟାକ୍ସି ଚାଳକ ଓ ଅଟୋ ଚାଳକଙ୍କୁ ବାଦ୍‌ ଦେଇ ଗାଡ଼ିରେ ସର୍ବାଧିକ ୨ଜଣ ଯାତ୍ରୀ ଯାଇପାରିବେ । ଏହି ଦୁଇ ଯାତ୍ରୀ ପଛ ସିଟରେ ହିଁ ବସିବେ । ଏସବୁ ଜିଲ୍ଲାରେ ଦୈନିକ ହାଟ, ସାପ୍ତାହିକ ହାଟ ବି ଖୋଲିବ । ଇନଡୋର ଓ ଆଉଟଡୋର ସୁଟିଂ ହୋଇପାରିବ ଏହି ୨୦ ଜିଲ୍ଲାରେ ।

‘ଖ’ ବର୍ଗରେ ଥିବା ୧୦ ଜିଲ୍ଲାରେ ସକାଳ ୬ରୁ ଦିନ ୨ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବ । ହେଲେ ଦୈନିକ ହାଟ କିମ୍ବା ସାପ୍ତାହିକ ହାଟକୁ ଅନୁମତି ମିଳିନାହିଁ । ବସ ଚଳାଚଳ ପୂର୍ବପରି ବନ୍ଦ ରହିବ । ଏହି ୧୦ ଜିଲ୍ଲାରେ ଏବେ କେବଳ ଆଉଟ ଡୋର ସୁଟିଂକୁ ଅନୁମତି ଦିଆଯାଇଛି । ଦିନ ୨ଟା ପରେ କଟକଣାମୁକ୍ତ ଅତ୍ୟାବଶ୍ୟକ ସେବା ଜାରି ରହିବ । ଶୁକ୍ରବାର ଦିନ ୨ଟା ପରଠୁ ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ସଟଡାଉନ ବଳବତ୍ତର ରହିବ ଏସବୁ ଜିଲ୍ଲାରେ ।

ଜୁଲାଇ ୧୬ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ସନ୍ଧ୍ୟା ୬ରୁ ସକାଳ ୬ ଯାଏଁ ରାତ୍ରିକାଳୀନ କର୍ଫ୍ୟୁ ବଳବତ୍ତର ରହିବ । ସମଗ୍ର ରାଜ୍ୟରେ ବିୟୁଟି ପାର୍ଲର, ସ୍ପା, ଜିମ୍‌, ସୁଇମିଂ ପୁଲ୍‌, ବାର୍‌, ଅଡିଟୋରିୟମ, ମୀନା ବଜାର, ପ୍ରଦର୍ଶନୀ, ସମ୍ମିଳନୀ ହଲ୍‌ ଓ ପାର୍କ ବନ୍ଦ ରହିବ । ଉଠାଦୋକାନ ଖୋଲା ରହିଲେ ମଧ୍ୟ ସମସ୍ତ ବ୍ୟବସାୟୀ କେବଳ ଖାଦ୍ୟ ପାର୍ସଲ କରି ବିକିବେ । କୌଣସି ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ଏବେ ଖୋଲିବନି । ସିନେମା ହଲ୍‌, ଥିଏଟର ବନ୍ଦ ରହିବ । ଯାତ୍ରା ପାଇଁ ବି ଅନୁମତି ମିଳିନି । ରାଜନୈତିକ, ସାଂସ୍କୃତିକ, ଧାର୍ମିକ ସମାବେଶ ଓ ସଭାସମିତି ଉପରେ କଟକଣା ବଳବତ୍ତର ରହିଛି । ସ୍ଥିତି ସମ୍ପୂର୍ଣ୍ଣ ସୁଧୁରିନଥିବାରୁ ମନ୍ଦିର, ମସଜିଦ ଓ ଚର୍ଚ୍ଚରେ ପୂର୍ବଭଳି ସୀମିତ ପୂଜକଙ୍କୁ ନେଇ କେବଳ ପରମ୍ପରା ଓ ନୀତି କାର୍ଯ୍ୟ କରାଯିବ । ଭକ୍ତଙ୍କ ପାଇଁ ଏବେ ଧାର୍ମିକ ଅନୁଷ୍ଠାନ ଖୋଲିବ ନାହିଁ ।ବାହାଘର, ଅନ୍ତ୍ୟେଷ୍ଟି ପାଇଁ ଆଗରୁ ଯାହା କଟକଣା ଥିଲା, ଏବେ ବି ତାହା ଅପରିବର୍ତ୍ତିତ ରହିଛି । କୌଣସି ପ୍ରକାର ଶୋଭାଯାତ୍ରା କିମ୍ବା ଭୋଜି ଆୟୋଜନ ହୋଇପାରିବନି । ଆୟୋଜକ ଚାହିଁଲେ ଖାଦ୍ୟ ପାର୍ସଲ ଦେଇପାରିବେ ।

ସାଇକେଲ ମରାମତି ଓ ଗାଡ଼ି ମରାମତି ଦୋକାନ ଖୋଲା ରହିବ । କଳକାରଖାନା, ବିଭିନ୍ନ ପ୍ରକାର ନିର୍ମାଣ କାର୍ଯ୍ୟ, କୃଷି, ମତ୍ସ୍ୟ ଚାଷ ଓ ପଶୁପାଳନ ସମ୍ବନ୍ଧିତ ସମସ୍ତ କାର୍ଯ୍ୟ ଓ ଦୋକାନ କଟକଣାମୁକ୍ତ ରହିଛି । ସ୍ୱାସ୍ଥ୍ୟ ସେବା, ବିଦ୍ୟୁତ ଯୋଗାଣ, ଟେଲିକମ, ଅଗ୍ନିଶମ, ଅନ୍ୟାନ୍ୟ ମୌଳିକ ଓ ଜରୁରୀ ସେବା କାର୍ଯ୍ୟ ଚାଲୁ ରହିବ । ବିଭିନ୍ନ ପ୍ରକାର ହୋମ ଡେଲିଭରି, ଇ-କମର୍ସ, ଗଣମାଧ୍ୟମ ସଂସ୍ଥାର କାର୍ଯ୍ୟକୁ କଟକଣାମୁକ୍ତ ରଖାଯାଇଛି ।

ଜୀବନ ଜୀବିକାକୁ ଦୃଷ୍ଟିରେ ରଖି ସରକାର କଟକଣା କୋହଳ କରିଥିବାବେଳେ କୋଭିଡ୍‌ ନିୟମ ଉଲ୍ଲଂଘନକାରୀଙ୍କ ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦୋକାନ ଭିତରେ ଓ ବାହାରେ ଯେପରି ଭିଡ଼ ନ ହେବ, ତାହା ବ୍ୟବସାୟୀଙ୍କ ଦାୟିତ୍ୱ । ଖିଲାପ କଲେ ଜରିମାନା ସହ ଦୋକାନ ସିଲ୍‌ କରାଯିବ । ବଜାର କମିଟି, ବ୍ୟବସାୟିକ ସଂଘକୁ ମଧ୍ୟ ଏ ନେଇ ସୂଚାଇ ଦିଆଯାଇଛି । କରୋନା ଭଳି ସଂକ୍ରମଣ ସମ୍ପୂର୍ଣ୍ଣ ହ୍ରାସ ପାଇନଥିବାରୁ ପରୀକ୍ଷା, ଟ୍ରାକିଂ, ଟିକାକରଣ, ଚିକିତ୍ସା, ନିୟମ ପାଳନ କରିବାକୁ ମୁଖ୍ୟ ସଚିବ ଗୁରୁତ୍ୱ ଦେଇଛନ୍ତି । ସମସ୍ତେ ନିୟମ ମାନିବା ସହ ସତର୍କ ରହିବାକୁ ସେ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.