ଆଜି ଅପରାହ୍ନ ସାଢେ ୨ଟାରେ ରାଜ୍ୟରେ କୋଭିଡ ସ୍ଥିତି ନେଇ ମୁଖ୍ୟ ଶାସନ ସଚିବ କରିବେ ଗୁରୁତ୍ବପୂର୍ଣ୍ଣ ଘୋଷଣା

0 4

ଭୁବନେଶ୍ବର: କୋଭିଡ଼ ସ୍ଥିତି ନେଇ ଆଜି ଅପରାହ୍ନରେ କହିବେ ମୁଖ୍ୟ ଶାସନ ସଚିବ। ରାଜ୍ୟରେ ତାଲା ବନ୍ଦ ବଢ଼ିବ ନା ନାହିଁ ତା’ଉପରେ ସାରା ରାଜ୍ୟର ନଜର ଥିବା ବେଳେ ଆଜି ଅପରାହ୍ନ ୨ଟା ୩୦ରେ କହିବେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର। ଜୁଲାଇ ୧୬ ପରବର୍ତ୍ତି ଗାଇଡ଼ଲାଇନ ନେଇ ଦେଇପାରନ୍ତି ଗୁରୁତ୍ବପୂର୍ଣ୍ଣ ସୂଚନା। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ତେଣୁ ଆଗକୁ ଲକ୍‌ଡାଉନ୍‌ ରହିବ କି ଅନ୍‌ଲକ୍‌ ହେବ । ସେନେଇ କିଛି ବଡ଼ ଘୋଷଣା କରିପାରନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।

ଖବର ଅନୁଯାୟୀ, ଓଡ଼ିଶାରେ ଜୁଲାଇ ମାସରେ କରୋନା ସଂକ୍ରମଣ ଖସିବାରେ ଲାଗିଛି । ହେଲେ ଏଥିରେ ଉତ୍ସାହିତ ହୋଇ ଢିଲା ହେବାର ସମୟ ଆସିନାହିଁ । ସାମାନ୍ୟ ଅବହେଳା ହିଁ ସାରା ରାଜ୍ୟକୁ ମହଙ୍ଗା ପଡ଼ିବ ବୋଲି ବିଶେଶଜ୍ଞ ମାନେ କହୁଛନ୍ତି । ରାଜ୍ୟରେ ଏବେ ସଂକ୍ରମଣ ହାର କମିବାରେ ଲାଗିଛି । କିନ୍ତୁ କିଛି ଜିଲ୍ଲାରେ ସଂକ୍ରମଣ ହାର ଟିକିଏ ଅଧିକା ରହିଛି । ତେଣୁ ଏହି ସବୁ ଜିଲ୍ଲାର କଟକଣାକୁ ପୁରା କୋହଳ କରିବା ଉଚିତ୍‌ ହେବ ନାହିଁ ବୋଲି ବିଶେଷଜ୍ଞମାନେ କହୁଛନ୍ତି । ସେହିପରି ଦେଖିବାକୁ ଗଲେ ରାଜ୍ୟରେ ଏବେ ମୃତ୍ୟୁ ସଂଖ୍ୟା ଥମିବାରେ ଲାଗୁନି ।

ବୁଧବାର ରାଜ୍ୟର ୪ଟି ଜିଲ୍ଲାରେ ସଂକ୍ରମଣ ହାର ୫% ଉପରକୁ ଚାଲିଯାଇଛି । ଏସବୁ ମଧ୍ୟରେ ଆଜି ଅନ୍‌ଲକ୍‌ ନେଇ ଘୋଷଣା କରି ପାରନ୍ତି ସରକାର । ସଂକ୍ରମଣ କମୁଥିବାରୁ ଖୋର୍ଦ୍ଧା ଆଉ କଟକକୁ ଛାଡ଼ି ସବୁଠି କଟକଣା କୋହଳ ହେବାକୁ ଯାଉଛି । ପଜିଟିଭ୍‌ ହାର ୫% ଉପରେ ରହୁଥିବା ଉପକୂଳର ଆଉ କିଛି ଜିଲ୍ଲାରେ କଟକଣା ବଳବତ୍ତର ରଖିବାକୁ ବିଶେଷଜ୍ଞଙ୍କ ସହ ଆଲୋଚନା କରିଛନ୍ତି ସରକାର ।

ଏବେ ‘ଏ’ ଶ୍ରେଣୀରେ ୨୦ ଜିଲ୍ଲାରେ ନାଇଟ୍‌ କର୍ଫ୍ୟୁ ବଳବତ୍ତର ରହିଛି । ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସବୁ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି । ‘ବି’ ଶ୍ରେଣୀରେ ଥିବା ୧୦ ଜିଲ୍ଲାରେ ଦୋକାନ ଦିନ ୨ଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ମିଳିଛି । ରାତି କର୍ଫ୍ୟୁ ସହ ସପ୍ତାହନ୍ତ ସଟ୍‌ଡାଉନ୍‌ ମଧ୍ୟ ଲାଗୁ ରହିଛି। ଏଥିରେ ପରିବର୍ତ୍ତନ ହେବ। ‘ବି’ ଶ୍ରେଣୀରେ ଜିଲ୍ଲା ସଂଖ୍ୟା ୧୦ରୁ କମି ୫ ମଧ୍ୟରେ ରଖାଯାଇପାରେ। ଦୋକାନ ଖୋଲିବା କଟକଣା ସନ୍ଧ୍ୟା ୬ ଯାଏ ବଢାଯାଇପାରେ। ଆଗକୁ ପାର୍ବଣ ଋତୁ ଆସୁଛି। ସମସ୍ତେ କଟକଣା କୋହଳକୁ ଅନାଇ ବସିଛନ୍ତି। ଏଥିପାଇଁ ଅନେକ ବ୍ୟବସାୟୀ ନିଜର ପୁରୁଣା ସାମଗ୍ରୀ ସାରିବାକୁ ଡିସ୍‌କାଉଣ୍ଟ ଦେବାକୁ ଯୋଜନା କରି ସାରିଲେଣି।

‘ଏ’ ଶ୍ରେଣୀରେ ଥିବା ୨୦ ଜିଲ୍ଲା ଆଉ ‘ବି’ର ୫ ଜିଲ୍ଲାରେ କେବଳ ନାଇଟ୍‌ କର୍ଫ୍ୟୁ ରଖି ଆଉ ସବୁ କଟକଣାକୁ ହଟାଇବାକୁ ମଧ୍ୟ ବିଚାର କରୁଛନ୍ତି ସରକାର। ତେବେ ବିବାହ ଓ ଅନ୍ତ୍ୟେଷ୍ଟି କ୍ରିୟାରେ ଲୋକଙ୍କ ସଂଖ୍ୟା ବଢିପାରେ । ତେଣୁ ଗାଇଡ଼ଲାଇନ୍‌କୁ କଡ଼ାକଡ଼ି ଭାବେ ପାଳନ କରାଯିବ। କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ଲା ରାଜ୍ୟଗୁଡ଼ିକୁ ନିୟମ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାର୍କେଟ, ହାଟ, ମଲ୍‌, ମଣ୍ଡି, ବସ୍‌ଷ୍ଟାଣ୍ଡ, ରେଳ ଷ୍ଟେସନ୍‌ ଉପରେ ନଜର ରଖୁ ପ୍ରଶାସନ। ବିବାହ ମଣ୍ଡପ, ସମାଜିକ କାର୍ଯ୍ୟକ୍ରମରେ ଯେମିତି ବି ହେଉ ଗାଇଡ଼ଲାଇନ୍‌ ପାଳନ ହେବା ଦରକାର ।

ନହେଲେ ପୁଣି ମାଡ଼ି ଆସିବ ବିପତ୍ତି । ତୃତୀୟ ଲହରିରୁ ବଞ୍ଚିବାକୁ ହେଲେ ଏ ସବୁ ନିୟମ ମାନି ଚଳିବାକୁ ହେବ ବୋଲି କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ଲା ରାଜ୍ୟମାନଙ୍କୁ ସତର୍କ କରାଇଛନ୍ତି । ଏପଟେ ରାଜ୍ୟରେ ଉପର ତଳ ହେଉଛି ସଂକ୍ରମଣ । ସଂକ୍ରମଣ ୨ ହଜାର ପାଖାପାଖି ରହୁଛି ସବୁଦିନ । ବୁଧବାର ପଜିଟିଭ୍‌ ହାର ବା ଟିପିଆର୍‌ ୨.୯୯% ରହିଛି । ମୃତ୍ୟୁ ସଂଖ୍ୟା କିନ୍ତୁ ଖସୁନି । ବୁଧବାର ପୁଣି ୬୫ ଜଣଙ୍କ ଜୀବନ ନେଇଛି ।

Leave A Reply

Your email address will not be published.