କରୋନା ଯୁଦ୍ଧରେ ହାରିଗଲେ କ୍ୟାମେରା ମ୍ୟାନ୍ ସୁମନ୍ତ ମହାନ୍ତି ଓରଫ୍ ଡିଲୁ

0 10

ରାଉରକେଲା : କରୋନା ଯୁଦ୍ଧରେ ହାରିଗଲେ କ୍ୟାମେରା ମ୍ୟାନ୍ ,ଫୋଟୋ ସାମ୍ବାଦିକ  ସୁମନ୍ତ ମହାନ୍ତି ଓରଫ୍ ଡିଲୁ । ମାତ୍ର ୫୦ ବର୍ଷ ବୟସରେ ସୁମନ୍ତଙ୍କ ଜୀବନ ଦୀପ ଲିଭିଯାଇଛି। ଗତ ୩ ତାରିଖରେ ସେ କରୋନା ସଂକ୍ରମିତ ହୋଇଥିଲେ। ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ସ୍ଥାନୀୟ ହାଇଟେକ୍ କୋଭିଡ୍ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ଅପରାହ୍ନ ପ୍ରାୟ ୩ଟା ୪୬ ମିନିଟ୍‌ରେ ତାଙ୍କର ପରଲୋକ ଘଟିଛି। ଶୋକାକୁଳ ପରିବେଶରେ ବେଦବ୍ୟାସ ଘାଟରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ବଡ଼ଝିଅ ସୁଶ୍ରୀ ମୁଖାଗ୍ନୀ ଦେଇଥିଲେ।

ସୁମନ୍ତଙ୍କ ପରିବାର କହିଲେ ମା’ ସ୍ବର୍ଣ୍ଣଲତା, ପତ୍ନୀ ପ୍ରଭାତି ମହାନ୍ତି ଓ ଦୁଇ ଝିଅ ସୁଶ୍ରୀ(୧୯) ଓ ସାଇଶ୍ରୀ(୯)। ବଡ଼ଝିଅ ସୁଶ୍ରୀ ବର୍ତ୍ତମାନ ଇସ୍ପାତ କଲେଜରେ ବାଣିଜ୍ୟ ଦ୍ବିତୀୟ ବର୍ଷ ଛାତ୍ରୀ ଓ ସାନ ଝିଅ ସାଇଶ୍ରୀ ଛେଣ୍ଡ୍ ସ୍ଥିତ ଚିନ୍ମୟ ବିଦ୍ୟାଳୟର ଦ୍ବିତୀୟ ଶ୍ରେଣୀ ଛାତ୍ରୀ। ବଡ଼ଭାଇ ଶ୍ରୀକାନ୍ତଙ୍କର ପ୍ରାୟ ୩ ବର୍ଷ ପୂର୍ବେ ପରଲୋକ ଘଟିଥିବାବେଳେ ସବା ସାନ ଭାଇ ରମାକାନ୍ତ ଆମେରିକାରେ କମ୍ପ୍ୟୁଟର ଇଞ୍ଜିନିଅର। ବଡ଼ ଭାଇଙ୍କ ମୃତ୍ୟୁପରେ ପୁରା ପରିବାରର ବୋଝ ତାଙ୍କ ଉପରେ ନିର୍ଭରଶୀଳ ଥିଲା। ତେବେ ତାଙ୍କର ଅକାଳ ବିୟୋଗ ସଂପୂର୍ଣ୍ଣ ପରିବାରକୁ ଦୁଶ୍ଚିନ୍ତା ଭିତରକୁ ଠେଲି ଦେଇଛି।

ଇସ୍ପାତ ସହରର ଅନ୍ୟତମ ପୁରାତନ ଓ ପ୍ରତିଷ୍ଠିତ ସାମ୍ବାଦିକ ଭାବେ ସୁମନ୍ତ ବେଶ୍ ଜଣାଶୁଣା ଥିଲେ। ସେ ମାଟ୍ରିକ୍ ପରେ ଆଇଟିଆଇ କରିଥିଲେ। ପରେ ସାମ୍ବାଦିକ ଭାବେ ରାଉରକେଲାରେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। ଗଣମାଧ୍ୟମ କ୍ଷେତ୍ରରେ ସୁମନ୍ତଙ୍କର ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ଅଭିଜ୍ଞତା ଥିଲା। ପୂର୍ବରୁ ସେ ଅନେକ ମୁଦ୍ରିତ ଓ ଟିଭି ଗଣମାଧ୍ୟମରେ କାମ କରିଥିଲେ। ତେବେ ୨୦୧୦ ମସିହାରୁ ସେ ରାଉରକେଲା କନକ ନ୍ୟୁଜ୍‌ର କ୍ୟାମେରାମ୍ୟାନ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ବିଗତ ୧୧ ବର୍ଷ ଧରି ସେ ନିଷ୍ଠାପରଭାବେ ଦାୟିତ୍ବ ନିର୍ବାହ କରିଆସୁଥିଲେ। ଏକାଧିକ ଚର୍ଚ୍ଚିତ ଘଟଣାକୁ ନିଜ କ୍ୟାମେରାକୁ କଏଦ୍ କରିଥିଲେ; ଯାହାକି ତାଙ୍କୁ ସମଗ୍ର ରାଜ୍ୟରେ ସୁପରିଚିତ କରାଇଥିଲେ। ନିଜ ଜୀବନକୁ ବେଖାତିର୍ କରି ସରଣ୍ଡା ଜଙ୍ଗଲରେ ପୁଲିସ-ମାଓବାଦୀ ଲାଇଭ୍ ଏନ୍‌କାଉଣ୍ଟର୍ ସମୟରେ ଭିଡିଓ ଚିତ୍ର ଉତ୍ତୋଳନ କରିଥିଲେ; ଯାହାକି ତାଙ୍କୁ ଜଣେ ନିର୍ଭୀକ ଓ ନିଷ୍ଠାପର ସାମ୍ବାଦିକ ପରିଚୟ ଆଣିଦେଇଥିଲା। ସୁମନ୍ତଙ୍କ ବିୟୋଗରେ ସହରର ବିଭିନ୍ନ ସାମ୍ବାଦିକ ସଂଗଠନ, ସାମାଜିକ, ସ୍ବେଚ୍ଛାସେବୀ ସଂଗଠନ, ରାଜନୈତିକ ଦଳ, ନେତୃବୃନ୍ଦ ଶୋକ ପ୍ରକାଶ କରିଛନ୍ତି।

ଆଦ୍ୟାଶା ନିଉଜ ପକ୍ଷ ରୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ଶୋକସନ୍ତପ ପରିବାର ବର୍ଗ ଙ୍କୁ ଭଗବାନ ଶକ୍ତି ପ୍ରଦାନ କରନ୍ତୁ ବୋଲି ପ୍ରାଥନା କରାଯାଇଛି ।

Leave A Reply

Your email address will not be published.