କାରରୁ ମିଳିଲା ୪୩ କିଲୋ ସୁନା ବିସ୍କୁଟ

0 8

 ଇମ୍ଫାଲ :  ‘ଡାଇରେକ୍ଟୋରେଟ୍‌ ଅଫ୍‌ ଇଣ୍ଟେଲିଜେନ୍ସ୍‌’ର ଗୁଇନ୍ଦା ଅଧିକାରୀ ମାନେ ଦୀର୍ଘ ୧୮ ଘଣ୍ଟାର ବ୍ୟାପକ ତଲାସି ଅଭିଯାନ କରି ମଣିପୁରର ଇମ୍ଫାଲରୁ ଏକ କାର ଭିତରୁ ୨୧ କୋଟି ଟଙ୍କା ମୂଲ୍ୟର ୪୩ କିଲୋରୁ ଅଧିକ ସୁନା ବିସ୍କୁଟ ଜବତ କରିଛନ୍ତି ।

ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ‘ଡାଇରେକ୍ଟୋରେଟ୍‌ ଅଫ୍‌ ଇଣ୍ଟେଲିଜେନ୍ସ୍‌’ର ଗୁଇନ୍ଦାମାନେ ମଙ୍ଗଳବାର ଦିନ ସହର ଭିତରେ ଦୁଇଜଣ ବ୍ୟକ୍ତି ଯାତ୍ରା କରୁଥିବା ଗୋଟାଏ କାର୍‌କୁ ଅଟକାଇଥିଲେ। ସେମାନଙ୍କୁ ପଚରାଉଚୁରା କରାଯାଇ କାରକୁ ତନ୍ନତନ୍ନ କରି ତଲାସ କରିବା ପରେ ସୁନା ବିସ୍କୁଟ୍‌ଗୁଡ଼ିକୁ ଜବତ କରାଯାଇଥିଲା। ଉକ୍ତ ସୁନା ବିସ୍କୁଟ୍‌ ଗୁଡ଼ିକୁ ଲୁଚାଇ ରଖିବା ନିମନ୍ତେ କାରରେ ସ୍ବତନ୍ତ୍ର ଭାବେ ତିନୋଟି ଗାତ କରାଯାଇଥିଲା ବୋଲି ଗୁଇନ୍ଦା ଅଧିକାରୀମାନେ କହିଛନ୍ତି।

କାର୍‌ ମଧ୍ୟସ୍ଥ ଗୁପ୍ତ ଗାତରୁ ବିଦେଶ ନିର୍ମିତ ୨୬୦ଟି ସୁନା ବିସ୍କୁଟ୍‌ ପାଇବାକୁ ପ୍ରାୟ ୧୮ ଘଣ୍ଟା ଲାଗିଥିଲା। ଗୁଇନ୍ଦା ଅଧିକାରୀମାନେ କହିଛନ୍ତି ଯେ, ପୂର୍ବରୁ ମଧ୍ୟ ଉକ୍ତ କାରଟି ଚୋରା କାରବାରରେ ବ୍ୟବହୃତ ହେଉଥିଲା।

ଲକଡାଉନ୍ ପରିସ୍ଥିତିରେ ମଧ୍ୟ ମିଆଁମାର୍ ସୀମାନ୍ତକୁ ଲାଗିଥିବା ମଣିପୁରରେ ସୁନା ଚୋରାଚାଲାଣ ଅବ୍ୟାହତ ରହିଛି। ଗତ ତିନି ମାସ ମଧ୍ୟରେ ମିଆଁମାର୍‌ ସେକ୍ଟର୍‌ର ଗୌହାଟି ଜୋନାଲ୍‌ ୟୁନିଟ୍‌ରୁ ୩୩ କୋଟି ଟଙ୍କା ମୂଲ୍ୟର ପ୍ରାୟ ୬୬ କିଲୋ ସୁନା ଜବତ କରାଯାଇସାରିଲାଣି। ସେଥିରୁ କେବଳ ଜୁନ୍‌ ମାସରେ ଜବତ ହୋଇଛି ୫୫ କିଲୋ ସୁନା। ଭାରତ-ମିଆଁମାର ସୀମାନ୍ତ ଦେଇ ଏହି ସୁନା ଚୋରାଚାଲାଣ ହେଉଥିବା କଥା ଗୁଇନ୍ଦା ଅଧିକାରୀମାନେ କହିଛନ୍ତି।

Leave A Reply

Your email address will not be published.