କୋଭିଡ୍‌-୧୯ରେ ଚାଲିଗଲେ ପୂର୍ବତନ ଆଟର୍ଣ୍ଣି ଜେନେରାଲ୍‌ ସୋଲି ସୋରାବ୍‌ଜୀ

0 12

ନୂଆଦିଲ୍ଲୀ : କୋଭିଡ୍‌-୧୯ରେ ଆକ୍ରାନ୍ତ ହୋଇଥିବା ପଦ୍ମବିଭୂଷଣ ସମ୍ମାନ ପ୍ରାପ୍ତ ଭାରତର ପୂର୍ବତନ ଆଟର୍ଣ୍ଣି ଜେନେରାଲ୍‌ ତଥା ବରିଷ୍ଠ ଓକିଲ ସୋଲି ଜେହାଙ୍ଗୀର ସୋରାବ୍‌ଜୀଙ୍କର ଶୁକ୍ରବାର ସକାଳେ ଦେହାନ୍ତ ହୋଇଯାଇଛି।

କୋଭିଡ୍‌-୧୯ ଚିକିତ୍ସା ନିମନ୍ତେ ଦକ୍ଷିଣ ଦିଲ୍ଲୀସ୍ଥିତ ଏକ ଘରୋଇ ଡାକ୍ତରଖାନରେ ଭର୍ତ୍ତି ହୋଇଥିବା ଖ୍ୟାତନାମା ଓକିଲ ସୋଲି ସୋରାବ୍‌ଜୀଙ୍କୁ ୯୧ ବର୍ଷ ହୋଇଥିଲା।

୧୯୫୩ ମସିହାରେ ବମ୍ବେ ହାଇକୋର୍ଟରେ ଓକିଲାତି ଆରମ୍ଭ କରିଥିବା ସୋଲି ସୋରାବ୍‌ଜୀଙ୍କୁ ସୁପ୍ରିମ୍‌ କୋର୍ଟ ୧୯୭୧ ମସିହାରେ ବରିଷ୍ଠ ଆଡ୍‌ଭୋକେଟ୍‌ ପାହ୍ୟାକୁ ଉତ୍ତୀର୍ଣ୍ଣ କରାଇଥିଲେ। ଏହାପରେ ସେ ଭାରତର ଆଟର୍ଣ୍ଣି ଜେନେରାଲ୍‌ ଭାବେ ନିଯୁକ୍ତି ପାଇଥିଲେ। ଭାରତର ଆଟର୍ଣ୍ଣି ଜେନେରାଲ୍‌ ଭାବେ ସେ ପ୍ରଥମେ ୧୯୮୯-୯୦ ଏବଂ ପରେ ୧୯୯୮ରୁ ୨୦୦୪ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ।

ଏହା ବ୍ୟତିରେକେ, ମାନବୀୟ ଅଧିକାର ନିମନ୍ତେ ନିଷ୍ଠା ଥିବାରୁ ୧୯୯୭ରେ ସେ ନାଇଜେରିଆ ପାଇଁ ଜାତିସଂଘର ସ୍ବତନ୍ତ୍ର ‘ରାପୋ‌ର୍ଟର୍‌’ ଭାବେ ନିଯୁକ୍ତି ପାଇଥିଲେ। ୨୦୦୦ରୁ ୨୦୦୬ ପର୍ଯ୍ୟନ୍ତ ସେ ହଗ୍‌ସ୍ଥିତ ଜାତିସଂଘ ବିଶ୍ବ ଅଦାଲତର ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ।

ବାକ୍‌ ସ୍ବାଧୀନତା ଓ ମାନବିକ ଅଧିକାର ପ୍ରତିରକ୍ଷା ପାଇଁ କାର୍ଯ୍ୟ କରିଥିବା ସୋଲି ସୋରାବ୍‌ଜୀଙ୍କୁ ୨୦୦୨ ମାର୍ଚ ମାସରେ ପଦ୍ମବିଭୂଷଣ ସମ୍ମାନ ପ୍ରଦାନ କରାଯାଇଥିଲା।

ତାଙ୍କ ବିୟୋଗ ଖବର ପାଇ ଭାରତର ପ୍ରଧାନ ବିଚାରପତି ଏନ୍‌ଭି ରମଣା କହିଛନ୍ତି, ଶ୍ରୀ ସୋଲି ସୋରାବ୍‌ଜୀ ଅତ୍ୟନ୍ତ ମର୍ଯ୍ୟାଦାବନ୍ତ ଭାବେ ଦୁଇ ଥର ଭାରତର ଆଟର୍ଣ୍ଣି ଜେନେରାଲ୍‌ ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ତାଙ୍କର ମାନବୀୟ ଏବଂ ସମବେଦନାଶୀଳ ଆଭିମୁଖ୍ୟ ତାଙ୍କ ଆଇନଗତ କାର୍ଯ୍ୟର ସଂଜ୍ଞା ବହନ କରେ।

ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ସୋରାବ୍‌ଜୀଙ୍କ ବିୟୋଗରେ ଶୋକ ବ୍ୟକ୍ତ କରି ତାଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି।

Leave A Reply

Your email address will not be published.