ଗାଈ ଚରାଇବା ବେଳେ ବଜ୍ରପାତରେ ଚାଲିଗଲା ୨ ନାବାଳକ ଓ ଜଣେ ନାବାଳିକାଙ୍କ ଜୀବନ

0 5

ବାରିପଦା : ବଜ୍ରପାତରେ ୩ ଜଣଙ୍କ ମୃତ୍ୟୁ । ମୟୂରଭଞ୍ଜ ଜିଲ୍ଲାର ଚାନ୍ଦୁଆ ଥାନା ଅନ୍ତର୍ଗତ ବାଘୂଆଶୋଳ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଦିନ ଦ୍ବିପ୍ରହରରେ ବିଲରେ ଛେଳି ଚରାଉଥିବା ବେଳେ ବଜ୍ରପାତରେ ଚାଲିଗଲା ଦୁଇ ନାବାଳକ ଓ ଜଣେ ନାବାଳିକାଙ୍କ ଜୀବନ। ତିନି ମୃତକ ହେଲେ ଗୋଟିଏ ପରିବାରର ।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ସକାଳେ ଘରୁ ଗାଈ, ଛେଳି ଚରାଇବାକୁ ପଡ଼ିଆକୁ ଯାଇଥିବା ବେଳେ ପ୍ରବଳ ବର୍ଷା ସହିତ ବଜ୍ରପାତ ହୋଇଥିଲା । ଏହି ସମୟରେ ପଡ଼ିଆରେ ଥିବା ଚାରି ଜଣ ନାବାଳକଙ୍କ ମଧ୍ୟରୁ ଘଟଣା ସ୍ଥଳରେ ତିନି ଜଣଙ୍କର ଚେତା ପଳାଇଥିବା ଜାଣି ଚତୁର୍ଥ ନାବାଳକ ଜଣଙ୍କ ପରିବାର ଲୋକ ଓ ଗାଁ ଲୋକଙ୍କୁ ଖବର ଜଣାଇଥିଲେ। ପରିବାରଲୋକ ପହଞ୍ଚି ବାରିପଦାର ପିଆରଏମ୍ ହସ୍ପିଟାଲକୁ ଆଣିବା ପରେ ଡାକ୍ତର ସମସ୍ତ ୩ ନାବାଳକଙ୍କୁ ମୃତ ଘୋଷଣା କରିଥିଲେ। ମୃତକମାନେ ହେଲେ ସେହି ଅଞ୍ଚଳର କାଳୁଚରଣ ନାଏକଙ୍କ ପୁଅ ବାବଲୁ ନାଏକ (୧୬), ଜଗନ୍ନାଥ ନାଏକଙ୍କ ଝିଅ ବର୍ଷା ନାଏକ (୧୨) ଓ ରାଧାକାନ୍ତ ନାଏକଙ୍କ ପୁଅ ସୁଜିତ ନାଏକ (୧୪) ବୋଲି ଜଣାପଡିଛି । ଗୋଟିଏ ପରିବାରର ତିନି ନାବାଳକଙ୍କ ମୃତ୍ୟୁରେ ପୁରା ଗାଁ ଶୋକର ଛାୟା ଖେଳିଯାଇଛି । ସରକାରଙ୍କ ଆର୍ଥିକ ସହାୟତା ପରିବାରଙ୍କୁ ଯୋଗାଇ ଦେବା ପାଇଁ ଦାବି କରିଛନ୍ତି ମୃତକର ପରିବାର ଲୋକେ।

Leave A Reply

Your email address will not be published.