ଚୋରା ଚାଲାଣ ବେଳେ କୋଟିଏ ଟଙ୍କାର ଗଞ୍ଜେଇ ଜବତ : ୩ ଗିରଫ, ଜଣେ ଫେରାର

0 17

ଜୟପୁର,୧୫/୦୮: ରାଜ୍ୟ ବାହାରକୁ ଚାଲାଣ ହେବାକୁ ଥିବା ବସ୍ତା ବସ୍ତା ଗଞ୍ଜେଇ ଜବତ କରିଛି ସଦର ପୁଲିସ । କାରବାରରେ ଲିପ୍ତ ୩ ଜଣଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଉଚ୍ଛଳାର ରୂପେଶ ସାହୁ (୨୩), ଜୟନ୍ତ ନାୟକ (୨୩) ଏବଂ ଭଇରିପାଲ୍ଲୀର ନୃପତି ନାୟକ (୨୧) । ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଅଛି । ସେମାନଙ୍କ ପାଖରୁ ୧ ହଜାର ୯୫ କେଜି ଗଞ୍ଜେଇ ଜବତ କରାଯାଇଛି । ଜବତ ଗଞ୍ଜେଇର ମୂଲ୍ୟ ୧ କୋଟି ୧୦ ଲକ୍ଷ ଟଙ୍କା ହେବ ବୋଲି ପୁଲିସ ଆକଳନ କରିଛି । ଅଭିଯୁକ୍ତଙ୍କ ପାଖରୁ ଗୋଟିଏ ଟ୍ରକ, କାର ଏବଂ ୪ଟି ମୋବାଇଲ ଫୋନ୍‌ ଜବତ କରାଯାଇଛି ।

ଗତ ୧୩ ତାରିଖ ରାତି ୭ଟାରେ ଏନଏଚ-୨୬ କୋରାପୁଟ ଘାଟି ଶିବ ମନ୍ଦିର ପାଖରେ ଏକ ଗଞ୍ଜେଇ ବୋଝେଇ ଟ୍ରକ୍‌ ଠିଆ ହୋଇଥିବା ପୁଲିସ୍‌କୁ ଖବର ମିଳିଥିଲା । ଏଥିସହ ଟ୍ରକ ପାଖରେ ଗୋଟିଏ କାର୍‌ ଏବଂ ୪ ଜଣ ବ୍ୟକ୍ତି ଠିଆ ହୋଇଥିବା ସୂଚନା ମିଳିଥିଲା । ଖବରକୁ ଭିତ୍ତି କରି ପୁଲିସ୍‌ ଟିମ୍‌ ସେଠାରେ ପହଞ୍ଚିଥିଲେ। ପୁଲିସକୁ ଦେଖି ସମସ୍ତେ ଦୌଡ଼ିବାକୁ ଚେଷ୍ଟା କରିଥିଲେ । ଉପରୋକ୍ତ ୩ ଜଣକୁ କାବୁ କରାଯାଇଥିବା ବେଳେ କାର ଡ୍ରାଇଭର ଫେରାର ହୋଇଯାଇଥିଲା । ଗାଡ଼ି ଯାଞ୍ଚ ବେଳେ ସେଥିରେ ଗଞ୍ଜେଇ ଥିବା ଦେଖିବାକୁ ମିଳିଥିଲା । ପଚରାଉଚରା ବେଳେ ଆନ୍ଧ୍ରପ୍ରଦେଶ ଆର୍‌କୁ ଅଞ୍ଚଳରୁ ଗଞ୍ଜେଇ ଲୋଡିଂ କରି ରାଜ୍ୟ ବାହାରକୁ ଚାଲାଣ କରିବା ଲାଗି ଅଣାଯାଇଥିବା ଅଭିଯୁକ୍ତମାନେ ସ୍ୱୀକାର କରିଥିଲେ ।

Leave A Reply

Your email address will not be published.