ଛେଣ୍ଡିପଦା ପୋଲିସକୁ ବଡ ସଫଳତା , ମାଫିଆଙ୍କ ଦେଢ଼କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି

0 5

ଛେଣ୍ଡିପଦା : ଓଡ଼ିଶା ପୋଲିସ ଇତିହାସରେ ବଡ଼ ଘଟଣା । ନଭେମ୍ବର ୨୧ରେ କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ଜବତ କରିଥିଲା ପୋଲିସ ।ତାହର ଏକ ମାସ ମଧ୍ୟରେ ସମସ୍ତ କାର୍ଯ୍ୟଅନୁଷ୍ଠାନ ନେବା ସହିତ ନିଶା ମାଫିଆଙ୍କ ଦେଢକୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ବ୍ୟାଜାପ୍ତି କରିପାରିଛି । ବେଆଇନ ନିଶା କାରବାର ଚଳାଇଥିବା ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଶିମିଳିପାଳ ପଞ୍ଚାୟତ ସାପୋଇନାଳି ଗ୍ରାମର ଚିତ୍ତରଞ୍ଜନ ସାହୁ ଓରଫ ପିଣ୍ଡୁଙ୍କ ମୋଟ୍ ୧ କୋଟି ୭୩ ଲକ୍ଷ ୨୯ ହଜାର ୪୯୭ ଟଙ୍କାର ସମ୍ପତ୍ତିକୁ ବାଜ୍ୟାପ୍ତି କରାଯାଇଛି ।

କୋଲକାତାଠାରେ ଥିବା ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟର କମ୍ପିଟାଣ୍ଟ ଅଥରିଟି ଆଣ୍ଡ ଆଡମିନିଷ୍ଟ୍ରେଟରଙ୍କ ନିର୍ଦ୍ଦେଶ ଅନୁଯାୟୀ ଗତ ମଙ୍ଗଳବାର ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କୌଣସି ନିଶା ମାଫିଆଙ୍କ ଏତେ ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି କରିବା ଓଡ଼ିଶା ପୋଲିସ ପାଇଁ ପ୍ରଥମ ଘଟଣା ବୋଲି ଅନୁଗୋଳ ଜିଲା ପୋଲିସ ମୁଖ୍ୟାଳୟ ପକ୍ଷରୁ କୁହାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ପିଣ୍ଟୁ ପ୍ରଥମେ ରାଜସ୍ଥାନ ଜୟପୁରର ଏଟିଏସ୍ ( ଆଣ୍ଟି ଟୋରୋରିଜମ ଷ୍ଟାଡ୍ ) ସ୍କାନରକୁ ଆସିଥିଲେ । ପିଣ୍ଡୁଙ୍କ ନାମରେ ଜୟପୁରରେ ୪ କୁଇଣ୍ଟାଲ ୪୦ କିଗ୍ରା ଗଞ୍ଜେଇ କାରବାରରେ ସମୃକ୍ତି ଥିବା ନେଇ ନଂ . ୫୦ / ୨୦ରେ ଏକ ମାମଲା ରୁଜୁ କରି ଏଟିଏସ୍ ତଦନ୍ତ ଜାରି ରଖିବା ସହିତ ଛେଣ୍ଡିପଦା ଥାନା ସାପୋଇନାଳି ଆସି ବାରମ୍ବାର ତାଙ୍କୁ ହାଜର ହେବାକୁ ନୋଟିସ ଓ ଲଟ୍‌କା ଜାରି କରିଥିଲା । ତେବେ ଫେରାର ଥିବା ପିଣ୍ଟୁ ହାଜର ହୋଇ ନ ଥିଲେ । ଅନ୍ୟପକ୍ଷରେ ଗତ ଅଗଷ୍ଟ ୨୩ ତାରିଖରେ ଏକ କାର୍‌ରେ ଗଞ୍ଜେଇ ଚାଲାଣ ବେଳେ ଛେଣ୍ଡିପଦା ପୋଲିସ ୭୦ କିଲୋ ୩୦୦ ଗ୍ରାମ ଗଞ୍ଜେଇ ଜବତ କରିଥିଲା । ଏହି ବେଆଇନ କାରବାରରେ ପିଣ୍ଡୁଙ୍କ ସମ୍ପୃକ୍ତି ଥିବାରୁ ତାଙ୍କୁ ଧରିବାକୁ ବାରମ୍ବାର ଚଢାଉ କରି ବିଫଳ ହୋଇଥିଲା । ପିଣ୍ଟୁ କୋଟି କୋଟି ଟଙ୍କା ଗଞ୍ଜେଇ କାରବାରରୁ ବେଆଇନ ଭାବେ ସମ୍ପତି ଠୁଳ କରିଥିବା ତଦନ୍ତ ବେଳେ ଜଣାପଡ଼ିବାରୁ ଅନୁଗୋଳ ଏସ୍‌ପି ଜଗମୋହନ ମାନାଙ୍କ ନିର୍ଦ୍ଦେଶରେ ନଭେମ୍ବର ୨୭ରେ ପୋଲିସ ପିଣ୍ଡୁଙ୍କ ସାପୋଇନାଳିସ୍ଥିତ ଘରେ ଚଢାଉ କରିଥିଲା । ଚଢ଼ାଉ ବେଳେ ନଗଦ ୨୦ଲକ୍ଷ ୫୦ ହଜାର ଟଙ୍କା , ୬ଟି ବ୍ୟାଙ୍କ ପାସବୁକ , ୯ରୁ ଉର୍ଦ୍ଧ୍ବ ଜମିପଟ୍ଟା , ଦାମୀ କାର , ଟ୍ରାକ୍ଟର , ଧାନ ଅମଳ ମେଶିନ ଆଦି ମୋଟ ୧ କୋଟି ୭୩ଲକ୍ଷ ୨୯ ହଜାର ୪୯୭ ଟଙ୍କାର ସମ୍ପତି ଜବତ କରିଥିଲା । ଏ ପରିକି ପୋଲିସ ପିଣ୍ଟୁଙ୍କ ଦାମି କାରରୁ ୨.୫୦ ଗ୍ରାମର ବ୍ରାଉନ ସୁଗାରକୁ ପୋଲିସ ଜବତ କରିବା ସହିତ ଛେଣ୍ଡିପଦା ଥାନା କେସ ନଂ . ୫୫୧ / ୨୧ରେ ଏକ ମାମଲା ରୁଜୁ କରିଥିଲେ । ଛେଣ୍ଡିପଦା ଥାନା ପକ୍ଷରୁ ୧୯୮୫ ଏନଡିପିଏସ ଆକ୍ଟ ଅନୁଯାୟୀ କୋଲକାତାଠାରେ ଥିବା ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟର କମ୍ପିଟାଣ୍ଟ ଅଥରିଟି ଆଣ୍ଡ ଆଡମିନିଷ୍ଟ୍ରେଟରଙ୍କୁ ଅବଗତ କରାଯାଇଥିଲା । କମ୍ପିଟାଣ୍ଟ ଅଥରିଟିଙ୍କ ନିର୍ଦ୍ଦେଶ ଅନୁଯାୟୀ ପିଣ୍ଟୁଙ୍କ ପରିବାର ପକ୍ଷରୁ ଏତେ ସମ୍ପତ୍ତିର ଉପଯୁକ୍ତ ହିସାବ ଦେଇପାରି ନ ଥିଲେ । ଫଳରେ ଗତ ୪ ତାରିଖରେ କମ୍ପିଟାଣ୍ଟ ଅଥରିଟି ଆଣ୍ଡ ଆଡମିନିଷ୍ଟ୍ରେଟର ଜବତ ସମ୍ପତ୍ତି ବାଜ୍ୟାପ୍ତି ପାଇଁ ଛେଣ୍ଡିପଦା ପୋଲିସକୁ ନିର୍ଦେଶ ଦେଇଥିଲେ । ଛେଣ୍ଡିପଦା ଥାନା ଅଧିକାରୀ ଧୀରେନ କୁମାର ବେହେରା କହିଛନ୍ତି , ସରକାରୀ ନିୟମାନୁଯାୟୀ ସମ୍ପତ୍ତି ବାଜ୍ୟାପ୍ତି କରାଯାଇଛି ଏବଂ ଅଭିଯୁକ୍ତ ପିଣ୍ଟୁଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି ।

Leave A Reply

Your email address will not be published.