ଢିଲା ହେଲେ ପୁଣି ଲକ୍‌ଡାଉନ୍ : ମୁଖ୍ୟମନ୍ତ୍ରୀ

0 11

ଭୁବନେଶ୍ୱର: ବିପଦ ଟଳିନି , ସମ୍ଭାବ୍ୟ ତୃତୀୟ ଲହରୀ ଆଶଙ୍କା ସବୁବେଳେ ରହିଛି । ଶିଶୁଙ୍କ ସଂକ୍ରମଣ ନେଇ ଯେଉଁ ଆଶଙ୍କା କରାଯାଉଥିଲା, ଏବେ ଧୀରେ ଧୀରେ ସଂକ୍ରମିତ ଶିଶୁଙ୍କ ସଂଖ୍ୟା ବଢ଼ୁଛି । ଢେଙ୍କାନାଳ, ବରଗଡ଼ ଜିଲ୍ଲାରେ ୩୪ ଛାତ୍ରଛାତ୍ରୀ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷରେ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନେ ଏଯାଏ ଟିକା ପାଇନାହାନ୍ତି । ଏମିତିରେ ସାମାନ୍ୟ ଅବହେଳା ସାଂଘାତିକ ହୋଇପାରେ । ଏଭଳି ସ୍ଥିତିରେ ସତର୍କ କରାଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଛନ୍ତି, ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଲକଡାଉନ୍‌ କୋହଳ କରାଯାଇଛି । ଏହାର ଅର୍ଥ ନୁହେଁ, ଆମେ କରୋନା କଟକଣା ପାଳନରେ ଢିଲା ହୋଇଯିବା । ଆବଶ୍ୟକ ପଡ଼ିଲେ, ସମୂହ ସ୍ୱାର୍ଥ ପାଇଁ ପୁଣି ଲକଡାଉନ ଲଗାଯିବ ।

ମଙ୍ଗଳବାର କୋଭିଡ୍‌ ସ୍ଥିତି ସମୀକ୍ଷା କରିବାବେଳେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମେରିକାରୁ କେରଳ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ କରୋନା ସଂକ୍ରମଣ ବଢ଼ିବା ଚିନ୍ତାଜନକ । ତୃତୀୟ ଲହରୀଠାରୁ ନିରାପଦ ରହିବାକୁ ହେଲେ କୋଭିଡ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପଡ଼ିବ । ସାମାନ୍ୟ ଅବହେଳା ବିପଦକୁ ଡାକି ଆଣିପାରେ । ନବୀନ କହିଛନ୍ତି, କୋଭିଡ ବିରୋଧରେ ଲଢ଼ିବା ପାଇଁ ସବୁଠୁ ଶକ୍ତିଶାଳୀ ଅସ୍ତ୍ର ହେଉଛି କୋଭିଡ ଆଚରଣବିଧି ପାଳନ । ଏହାର ଉପଯୁକ୍ତ ପାଳନ ସଭିଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ପିଲାମାନେ ଏଯାଏ ଟିକା ନେଇନାହାନ୍ତି । ପିଲାଙ୍କ ପାଇଁ ଆମକୁ ଅଧିକ ସତର୍କ ରହିବାକୁ ହେବ । କୋଭିଡ ନିୟମ ପାଳନରେ ଅବହେଳା କଲେ ଅନୁଷ୍ଠାନର ମୁଖ୍ୟ ଦାୟୀ ରହିବେ । ପ୍ରଶାସନ ସ୍ୱତନ୍ତ୍ର ଟିମ୍‌ ଗଠନ କରି ନିୟମିତ ଶିକ୍ଷାନୁଷ୍ଠାନଗୁଡ଼ିକରେ ଅଚାନକ ଯାଞ୍ଚ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ହାଟ ବଜାର, ଧର୍ମାନୁଷ୍ଠାନ, ସ୍ୱାସ୍ଥ୍ୟ ପ୍ରତିଷ୍ଠାନଗୁଡ଼ିକ ଉପରେ ସତର୍କ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍ୱାସ୍ଥ୍ୟକର୍ମୀ, ସ୍କୁଲ ଯାଉଥିବା ଛାତ୍ରଛାତ୍ରୀ, ଗର୍ଭବତୀ ମହିଳା, ସରକାରୀ କର୍ମଚାରୀ ଓ ପୁଲିସ ଅଧିକ ହାଇ ରିସ୍କ ଗ୍ରୁପରେ ଅଛନ୍ତି । ତେଣୁ ସେମାନଙ୍କର ନିୟମିତ ଟେଷ୍ଟିଂ କରିବାକୁ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ କେତେକ କ୍ଷେତ୍ରରେ ସ୍ୱାସ୍ଥ୍ୟକର୍ମୀଙ୍କ ଭିତରେ ସଂକ୍ରମଣ ନଜରକୁ ଆସିଛି । ତେଣୁ ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ କାମ କରୁଥିବା ସ୍ୱାସ୍ଥ୍ୟକର୍ମୀ ଓ ନମୁନା ସଂଗ୍ରହ କରୁଥିବା ଟିମ୍‌ମାନଙ୍କୁ କୋଭିଡ୍‌ ନିୟମ ସମ୍ପର୍କରେ ବାରମ୍ବାର ସଚେତନ କରାଇବା ଜରୁରୀ । ଏହାସହ ଡେଲଟା ଭାରିଏଣ୍ଟ ଅଧିକ ସଂକ୍ରମଣ କରୁଥିବାରୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌ କରି ନିରନ୍ତର ଦୃଷ୍ଟି ରଖିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ପାର୍ବଣ ଋତୁ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, କେରଳରେ ଓନାମ୍‌ ପର୍ବ ପାଳନ ପରେ ସଂକ୍ରମଣ ବଢ଼ିଲା । ତେଣୁ ପାର୍ବଣ ସମୟରେ ଆମକୁ ଅଧିକ ସତର୍କ ରହିବାକୁ ହେବ । ଏହାଦ୍ୱାରା ଆମେ ଭବିଷ୍ୟତରେ ଲକ୍‌ଡାଉନ୍‌କୁ ଏଡ଼ାଇପାରିବା । ଆମର ଦାୟିତ୍ୱପୂର୍ଣ୍ଣ ବ୍ୟବହାର ହିଁ ତୃତୀୟ ଲହରୀକୁ ନିୟନ୍ତ୍ରଣ କରିବା ପାଇଁ ନିର୍ଣ୍ଣାୟକ ହେବ । ମାସ୍କ ପିନ୍ଧିବା, ହାତ ଧୋଇବା, ସାମାଜିକ ଦୂରତା ରକ୍ଷା କରିବା ଓ ଭିଡ଼କୁ ନ ଯିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ଏହି କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ, ପୁଲିସ ମହାନିର୍ଦ୍ଦେଶକ ଅଭୟ ପ୍ରମୁଖ ଉପସ୍ଥିତ ଥିଲେ । ବୈଠକରେ ବିଏମସି ଓ ସିଏମସି କମିଶନରଙ୍କ ସହ ଦେବଗଡ଼ ଏବଂ ପୁରୀ ଜିଲ୍ଲାପାଳ ମଧ୍ୟ ସାମିଲ ହୋଇଥିଲେ ।

ସମ୍ଭାବ୍ୟ ତୃତୀୟ ଲହର ଓ ଶିଶୁଙ୍କୁ ନେଇ ସରକାରଙ୍କ ଚିନ୍ତା ବଢ଼ିଛି । ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି, ଏବେ ସଂକ୍ରମିତ ଶିଶୁଙ୍କ ସଂଖ୍ୟା ବଢୁଛି । ଦେଖିବାକୁ ପଡ଼ିବ, କେତେ ଜଣଙ୍କ ପାଖରେ ଲକ୍ଷଣ ରହିଛି, ଆଉ କେତେ ଗୁରୁତର ହେଉଛନ୍ତି? ଅଲଗା ବାଟ କିଛି ନାହିଁ । ସର୍ଭେଲାନ୍ସକୁ ହିଁ କାଡ଼କଡ଼ି କରିବାକୁ ହେବ । କେଉଁଠି କୋଭିଡ୍‌ କଟକଣା ଢିଲା ହୋଇଛି, ଦେଖିବାକୁ ହେବ । ସ୍କୁଲକୁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି । ଯଦି କାହା ପାଖରେ ଲକ୍ଷଣ ରହିଛି, ସେମାନେ ସ୍କୁଲ ନ ଆସନ୍ତୁ ବୋଲି ସେ ଅପିଲ୍‌ କରିଛନ୍ତି ।

ଆକ୍ରାନ୍ତଙ୍କ ମଧ୍ୟରେ ବର୍ତ୍ତମାନ ଆଇସିୟୁରେ ମାତ୍ର ୦.୨% ଶିଶୁ ଅଛନ୍ତି । ଭେଣ୍ଟିଲେଟରରେ ଜଣେ ବି ହେଲେ ପିଲା ନାହାନ୍ତି । ହସ୍ପିଟାଲ ତଥ୍ୟରୁ ଜଣା ପଡୁଛି, ଅଧିକାଂଶ ପିଲାଙ୍କ ସାମାନ୍ୟ ଲକ୍ଷଣ ରହୁଛି । ଭୁବନେଶ୍ୱର ଓ କଟକର ଆର୍‌ ଭାଲ୍ୟୁ ୧ ରହିଛି । ଉପକୂଳ ଅଞ୍ଚଳରେ ଏହା ୦.୯ ରହିଛି । ଆର୍‌ଏମ୍‌ଆରସି ନିର୍ଦ୍ଦେଶକ ଡାକ୍ତର ସଂଘମିତ୍ରା ପତି କହିଛନ୍ତି, ରାଜ୍ୟର ୧୨ ଜିଲ୍ଲାରେ ଏବେ ସେରୋଲୋଜିକାଲ ସର୍ଭେ ଚାଲିଛି । ୫ ଜିଲ୍ଲାରେ ସର୍ଭେ ସରିଥିବାବେଳେ ଆସନ୍ତା ୧୮ କିମ୍ବା ୧୯ ତାରିଖ ମଧ୍ୟରେ ବାକି ସବୁଠି ଶେଷ ହେବ । ଏହି ରିପୋର୍ଟ ଅକ୍ଟୋବର ପ୍ରଥମ ସପ୍ତାହ ପରେ ଜଣାପଡ଼ିବ । ସବୁ ଜିଲ୍ଲାରୁ ସର୍ଭେ ସରିବା ପରେ ଅଲଗା ଅଲଗା ବୟସ ଗ୍ରୁପଙ୍କର ନମୁନାର ତର୍ଜମା ହେବ । ଡିଏମ୍‌ଇଟି ପ୍ରଫେସର ସିବିକେ ମହାନ୍ତି କହିଛନ୍ତି, ପିଲାମାନଙ୍କ ଦାୟିତ୍ୱ ହେଉଛି ବାପା ମାଆଙ୍କର । ଶିଶୁ ଟିକା ଏଯାଏ ଆସିନି । ଯଦି ଅଧିକ ଶିଶୁଙ୍କଠାରେ କରୋନା ସଂକ୍ରମିତ ହୁଏ, ତେବେ ସ୍କୁଲକୁ ବନ୍ଦ କରାଯିବ ।

Leave A Reply

Your email address will not be published.