ଦିଲ୍ଲୀରୁ ଧରାହେଲା ରେଳମନ୍ତ୍ରୀଙ୍କ ନକଲି ପିଏ

0 7

ଭୁବନେଶ୍ବର : ଖୋର୍ଦ୍ଧାରୋଡ୍‌ ରେଲ‌ୱେ ଡିଭିଜନର ସେକ୍ସନ ଇଂଜିନିୟର ପ୍ରଦୀପ ପାଣିଗ୍ରାହୀଙ୍କ ବଦଳି ବାତିଲ କରିବା ପାଇଁ ରେଳବାଇ ଜେନେରାଲ୍ ମ୍ୟାନେଜର(ଜିଏମ୍)ଙ୍କୁ ଫୋନ୍ ଜରିଆରେ ଧମକ ମିଳିଥିବା ମାମଲାରେ ଆଜି କମିସନରେଟ୍‌ ପୁଲିସ ଆଉ ଜଣେ ଅଭିଯୁକ୍ତକୁ ଦିଲ୍ଲୀରୁ ଗିରଫ କରିଛି। ନିଜକୁ ରେଳମନ୍ତ୍ରୀଙ୍କ ପିଏ ବୋଲି ପରିଚୟ ଦେଇ ଜିଏମ୍‌ଙ୍କୁ ଧମକ ଦେଇଥିବା ଅଭିଯୁକ୍ତ ହେଉଛି ଗୋପାଳ ଶତପଥୀ(୪୫)। ଏହି ମାମଲାରେ ପୂର୍ବରୁ ରେଳମନ୍ତ୍ରୀଙ୍କ ଏହି ନକଲି ପିଏ ଧୂର୍ତ୍ତ ଗୋପାଳର ସହଯୋଗୀ ତଥା ମିମିକ୍ରି କଳାକାର ସମର୍ଥ ବିଶ୍ବକର୍ମାକୁ କମିସନରେଟ୍‌ ପୁଲିସ ଉତ୍ତରପ୍ରଦେଶରୁ ଗିରଫ କରିଥିଲା।

ପୁଲିସ ସୂଚନାନୁସାରେ ଅଭିଯୁକ୍ତ ଗୋପାଳ ନିଜକୁ ଏକ ଜାତୀୟ ରାଜନୈତିକ ଦଳର ଆଣ୍ଡାମାନ ନିକୋବର କୃଷକ ମଞ୍ଚର ପ୍ରଭାରୀ ବୋଲି ପରିଚୟ ଦେଇ ଆସୁଥିଲା। କିନ୍ତୁ ସେ ଉକ୍ତ ଦଳର କୌଣସି ପଦପଦବୀରେ ନାହିଁ ବୋଲି ତଦନ୍ତରୁ ଜଣାପଡ଼ିଛି। ସେ ଦିଲ୍ଲୀରେ ବେକାର ଯୁବକ ଯୁବତୀଙ୍କ ପାଇଁ ଏକ କନ୍‌ସଲଟାନ୍‌ସି ସଂସ୍ଥା ଖୋଲିଥିଲା। ତେବେ ଅନେକ ସମୟରେ ସେ ନେତା ଓ ମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ସାମିଲ୍‌ ହୋଇ ସେମାନଙ୍କ ସହ ଫଟୋ ଉଠାଇ ନିଜକୁ ରାଷ୍ଟ୍ରୀୟ ଦଳର ଜଣେ ପୁରୁଖା କର୍ମୀ ବୋଲି ସୋସିଆଲ୍ ମିଡିଆରେ ପ୍ରଚାର କରୁଥିଲା। ବିଭିନ୍ନ ବଡ଼ବଡ଼ କାର୍ଯ୍ୟକ୍ରମରେ ନେତା ଓ ମନ୍ତ୍ରୀମାନଙ୍କ ସହ ତା’ ଫଟୋ ଦେଖି ଲୋକେ ତା’ ଜାଲରେ ସହଜରେ ଫସୁଥିଲେ। ତେଣୁ କାହାକୁ ଚାକିରି କରାଇବା ବାହାନାରେ ତ କାହାର ବଦଳି କରାଇବା ଛଳରେ ସେ ମୋଟା ଅଙ୍କର ଅର୍ଥ ଆ‌ଦାୟ କରୁଥିଲା। କିନ୍ତୁ କାମ ହେଉନଥିଲେ ବି ଠକାମିର ଶିକାର ହୋଇଥିବା ଲୋକେ ଭୟରେ ତା’ ବିରୋଧରେ ମୁହଁ ଖୋଲୁନଥିଲେ।

Leave A Reply

Your email address will not be published.