ପରଲୋକରେ ପୂର୍ବତନ ସାଂସଦ ନିତ୍ୟାନନ୍ଦ ମିଶ୍ର

0 18

ବଲାଙ୍ଗିର : ପୂର୍ବତନ ସାଂସଦ ତଥା ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିତ୍ୟାନନ୍ଦ ମିଶ୍ରଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ହେଉଥିଲା । ଗତ କିଛିଦିନ ହେଲା ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ହୋଇଥିଲେ । ଗୁରୁବାର ସଂଧ୍ୟାରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି ।

ସ୍ୱର୍ଗତ ମିଶ୍ର ବଲାଙ୍ଗିର ରାକ୍ସିମୁଣ୍ଡା ଗ୍ରାମରେ ୧୯୨୮ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ଯୁବାବସ୍ଥାରୁ କଂଗ୍ରେସ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ଆଦିବାସୀ, ହରିଜନଙ୍କ ହକ୍‌ ପାଇଁ ଲଢ଼େଇ କରିବା ସହ ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ କାର୍ଯ୍ୟ କରିଥିଲେ । ଏଥିସହିତ କୃଷି ଶ୍ରମିକଙ୍କ ଅଧିକାର ପାଇଁ ବହୁବାର ଆନ୍ଦୋଳନ କରିଥିଲେ । ୧୯୫୪ ମସିହାରେ ଜିଲ୍ଲା କଂଗ୍ରେସ କମିଟି ସଭାପତି, ୧୯୫୬ ମସିହାରେ ପ୍ରଦେଶ ଯୁବ କଂଗ୍ରେସ ସଭାପତି ଏବଂ ୧୯୮୪ ରୁ ୮୮ ପର୍ଯ୍ୟନ୍ତ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଥିଲେ ।

ସେହିପରି ବଲାଙ୍ଗିରରୁ ଦୁଇଥର (୧୯୮୦-୮୪ ଏବଂ ୧୯୮୫-୮୯)ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ । ଦୀର୍ଘବର୍ଷ ଧରି ଏଆଇସିସି ଏବଂ ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ କମିଟିର ସଦସ୍ୟ, ରାଜ୍ୟ ଖଦି ଏବଂ ଗ୍ରାମ୍ୟ ଶିଳ୍ପ କମିଟି, ରାଜ୍ୟ ହସ୍ତତନ୍ତ ବୋର୍ଡ଼ ସଦସ୍ୟ ଥିଲେ । ରାଜନୈତିକ କ୍ୟାରିଅର ବ୍ୟତୀତ ସେ ଜଣେ ଦକ୍ଷ କ୍ରୀଡାବିତ ଥିଲେ । ଫୁଟବଳ ଖେଳାଳୀ ହୋଇଥିବାରୁ କଲେଜ ଟିମର କ୍ୟାପଟେନ ମଧ୍ୟ ଥିଲେ ।

ସାଂସଦ ଭାବର ତାଙ୍କ କାର୍ଯ୍ୟକାଳରେ ବଲାଙ୍ଗିର ବଡ଼ମାଳଠାରେ ଗୋଳାବାରୁଦ କାରଖାନା, ମୁଖ୍ୟ ଡ଼ାକଘର କୋଠା, ରାଜେନ୍ଦ୍ର କଲେଜରେ ବିଭିନ୍ନ ପିଜି ଏବଂ ବାଣିଜ୍ୟ ବିଭାଗ କୋଠା ଖୋଲିଥିଲା । ଜିଲ୍ଲାର ବିଭିନ୍ନ ବ୍ଲକରେ ଆଇସିଡ଼ିଏସ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲା ।  ତାଙ୍କ ପରଲୋକ ଖବର ପ୍ରଚାର ହେବାପରେ କଂଗ୍ରେସ ତଥା ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି ।

ତାଙ୍କ ପରଲୋକ କଂଗ୍ରେସ ବିଧାୟକ ଦଳ ନେତା ତଥା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଶୋକ ବ୍ୟକ୍ତ କରିଛନ୍ତି । ସେହିଭଳି କଣ୍ଟାବାଞ୍ଜି ବିଧାୟକ ସନ୍ତୋଷସିଂ ସାଲୁଜା, ପୂର୍ବତନ ପିସିସି ସଭାପତି ତଥା ପୂର୍ବତନ ସାଂସଦ ଶରତ ପଟ୍ଟନାୟକ, ପୂର୍ବତନ ବିଧାୟକ ରାଧାକାନ୍ତ ପଣ୍ଡା ପ୍ରମୁଖ ଶେକ ବ୍ୟକ୍ତକରି ଏହା ଦଳର ଅପୂରଣିୟ କ୍ଷତି ବୋଲି ଚହିଛନ୍ତି ।

Leave A Reply

Your email address will not be published.