ପଲ୍ଲୀସଭା ପାଲଟିଲା ରଣକ୍ଷେତ୍ର , ବିରୋଧ କରିବାରୁ ଆକ୍ରମଣ

0 239

ଲହୁଣୀପଡା:- (ଆଦ୍ୟାଶା ନ୍ୟୁଜ୍ /ରମେଶ; ଲହୁଣିପଡ଼ା ବ୍ଲକ୍ ବଡ଼ପୁରୁଣାପାଣି ପଞ୍ଚାୟତ କପଣ୍ଡ ଗ୍ରାମ ଫୁଟବଲ ପଡିଆରେ ଅନୁଷ୍ଠିତ ପଲ୍ଲୀସଭାରେ, ଗ୍ରାମସଭାର ବିନା ଅନୁମତିରେ ଆରମ୍ଭ ହେବାକୁ ଯାଉଥିବା ଶିଳ୍ପ ପ୍ରତିଷ୍ଠାନ ପ୍ରକଳ୍ପ କାର୍ଯ୍ୟ କୁ ବିରୋଧ କରୁଥିବା ବେଳେ ସ୍ଥାନୀୟ ଅଞ୍ଚଳର ଆଦିବାସୀଙ୍କ ଉପରେ ଆକ୍ରମଣ ଓ ମାରପିଟ୍ ହୋଇଥିବା ଅଭିଯୋଗ ।
କିଛିସମୟ ପାଇଁ ପଲ୍ଲୀସଭା ର ଆଲୋଚନା କ୍ଷେତ୍ର, ରଣକ୍ଷେତ୍ର ପାଲଟିଥିବା ବେଳେ ଏହାକୁ ନେଇ ଥାନାରେ ଅଭିଯୋଗ ହୋଇଥିବା ଜଣା ପଡିଛି । ସୂଚନା ଅନୁସାରେ , ଏକ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ଆପତ୍ତବିହୀନ ପ୍ରମାଣପତ୍ର (NOC) ପାଇଁ ଉକ୍ତ ପଡିଆରେ ପଲ୍ଲୀସଭାର ଆୟୋଜନ ହୋଇଥିଲା । ସେଠାରେ ସପକ୍ଷବାଦୀ ଓ ବିପକ୍ଷବାଦୀମାନେ ନିଜନିଜର ମତ ରଖୁଥିଲେ । କପଣ୍ଡ ଗ୍ରାମରେ ଶିଳ୍ପ ପ୍ରତିଷ୍ଠାନ କୁ ନେଇ କୌଣସି ପଲ୍ଲୀସଭା କିମ୍ବା ଗ୍ରାମସଭାରେ ଆଲୋଚନା କରା ନଯାଇ ବେଆଇନ୍ ଭାବେ ଶିଳ୍ପ ପ୍ରତିଷ୍ଠାନ ପାଇଁ ସ୍ଥାନୀୟ ଲୋକଙ୍କ ଅଜାଣତରେ ଜମି ହସ୍ତାନ୍ତର କରାଯାଇଥିବା ବେଳେ ବର୍ତ୍ତମାନ (NOC) ଏନ୍ଓସି’ ପାଇଁ ପଲ୍ଲୀସଭା ଡକାଇ ବିରୋଧର ସମ୍ମୁଖିନ ହୋଇଥିବା ଦେଖିବାକୁ ମିଳିଛି। ତେବେ ଗ୍ରାମସଭାର ଅନୁମୋଦନ ନପାଇ କିପରି ଶିଳ୍ପ ପ୍ରତିଷ୍ଠାନର ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରାଯିବାକୁ ପ୍ରସ୍ତୁତି ଚାଲିଛି ବୋଲି ବିପକ୍ଷବାଦୀମାନେ ପ୍ରଶ୍ନ କରିଥିଲେ । ଏହାର କୌଣସି ସନ୍ତୋଷଜନକ ଉତ୍ତର ସ୍ଥାନୀୟ ସରପଞ୍ଚ ଦେଇପାରି ନଥିଲେ । ଏହାକୁ ନେଇ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍ ମଧ୍ୟରେ କଥା କଟାକଟି ଓ ଧସ୍ତାଧସ୍ତି ହୋଇଥିଲା । କିଛିସମୟ ପାଇଁ ଖେଳପଡିଆ ରଣକ୍ଷେତ୍ର ପାଲଟିଥିବା ବେଳେ ମହିଳାମାନେ ମଧ୍ୟ ଆକ୍ରମଣରୁ ବର୍ତ୍ତି ନଥିଲେ । ମହିଳାଙ୍କୁ ହାତାହାତି , ମାଡ଼ମାରୁଥିବା ଦୃଶ୍ୟ ମୋବାଇଲ୍‌ରୁ ମୋବାଇଲ୍ ଘୂରି ବୁଲୁଥିବା ବେଳେ ଏହାକୁ ସାଧାରଣରେ ନାପସନ୍ଦ କରାଯାଇଛି । ଖବରପାଇ ପୁଲିସ ପହଞ୍ଚିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା ।ତେବେ ପଲ୍ଲୀସଭା ଅଧାରୁ ବନ୍ଦ ରହିଥିବା ବେଳେ ଘଟଣାକୁ ନେଇ ଅଞ୍ଚଳରେ ଚାପା ଉତ୍ତେଜନା ଲାଗିରହିଥବା ରୁ ପୁଲିସ ପରିସ୍ଥିତି ଉପରେ ନଜର ରଖିଛି। ସୂଚନାଯୋଗ୍ୟ ଯେ , କପଣ୍ଡ ମୋଜାର ସମୁଦାୟ ୧୬୭’ ଏକର ଆବାଦଯୋଗ୍ୟ ଅନାବାଦୀ ଜମିକୁ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ହସ୍ତାନ୍ତର କରାଯାଇଛି । ଏନେଇ ବଡ଼ପୁରୁଣାପାଣି ଖେଳପଡ଼ିଆରେ ଭିଡିଓ କନ୍‌ଫରେସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ’ଙ୍କ ଦ୍ବାରା ଏହାର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରାଯାଇଛି । ତେବେ ଆଇନ୍ ଅନୁସାରେ ଜମି ହସ୍ତାନ୍ତର ପୂର୍ବରୁ ପଲ୍ଲୀସଭା ଆୟୋଜନ ହେବାକଥା କିନ୍ତୁ ତାହା କରାଯାଇ ନଥିବାରୁ ଶିଳ୍ପ ପ୍ରତିଷ୍ଠାନ ପ୍ରକଳ୍ପ ର କାର୍ଯ୍ୟ ଆରମ୍ଭ କରାଯିବା କୁ ନେଇ ପଲ୍ଲୀସଭା’ରେ ଅନୁମୋଦିତ ଆପତ୍ତି ବିହୀନ ପ୍ରମାଣ ପତ୍ରର ଆବଶ୍ୟକତା ରହିଛି। ଏହି ପ୍ରମାଣପତ୍ର ହାସଲ ଉଦ୍ଧେଶ୍ୟରେ ଆଜିର ପଲ୍ଲୀସଭା ଆୟୋଜିତ ହୋଇଥିଲା। ତେବେ ଆଦିବାସୀ’ଙ୍କ ସଂସ୍କୃତି,ଭାଷା,ପରମ୍ପରା ଏବଂ ଜଳ,ଜଙ୍ଗଲ ଏବଂ ଜମି ର ସୂରକ୍ଷା କୁ ନେଇ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ରହିଥିବା ବିଶେଷ ଆଇନ ଗୁଡିକ ଉପରେ ଲୋକଙ୍କୁ ସଚେତନ କରା ନଯାଇ ନିଜର ସ୍ବାର୍ଥ ସାଧନ ପାଇଁ ସାଧାରଣ ଲୋକଙ୍କ ମଧ୍ୟରେ ବିଦ୍ବେଶ ସୃଷ୍ଟି କରିବା ଦୁଃଖର ବିଷୟ। ତେବେ ଆକ୍ରମଣର ଶିକାର ହୋଇଥିବା ନିରୀହ ଅଦିବାସୀ ମହିଳାମାନେ ଏ ନେଇ ଲହୁଣିପଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି ।
*ବ୍ୟୁରୋ ରିପୋର୍ଟ ଆଦ୍ୟାଶା ନ୍ୟୁଜ୍।*

Leave A Reply

Your email address will not be published.