ପ୍ରଥମ ଓଡ଼ିଆ ଭାବେ ବିଶ୍ୱରୂପାଙ୍କୁ ମିଳିଲା UAE ଗୋଲ୍ଡେନ ଭିସା

0 20

ବାରିପଦା,: ମୟୂରଭଞ୍ଜ ସାଂସ୍କୃତିକ ଇତିହାସରେ ଆଉ ଏକ ଗୌରବମୟ ପୃଷ୍ଠା ଯୋଡ଼ିଛନ୍ତି ମୟୂରଭଞ୍ଜର ସୁନାଝିଅ ମୋନା ବିଶ୍ୱରୂପା ମହାନ୍ତି ।  ପ୍ରଥମ ଓଡ଼ିଆ ଭାବେ ବିଶ୍ୱରୂପାଙ୍କୁ ମିଳିଛି UAE ଗୋଲ୍ଡେନ ଭିସା। ଫଳରେ ୟୁଏଇରେ ୧୦ ବର୍ଷ ଯାଏ ସେ ବିନା ବାଧାରେ ବସବାସ କରିପାରିବେ। ୨୦୦୭ରୁ ସେ ଦୁବାଇରେ ରହୁଛନ୍ତି। ମୋନାଙ୍କ ଏହି ସଫଳତା ଖବର ଜାଣିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି । ଏହି ଗୋଲଡେନ ଭିସା ବା ଦୀର୍ଘକାଳୀନ ଆବାସ ଭିସା କଳା, ସୃଜନଶୀଳ ଶିଳ୍ପ, ସାହିତ୍ୟ, ସଂସ୍କୃତି, ଐତିହ୍ୟ, ଇତିହାସ ଓ ଜ୍ଞାନ ଅଧ୍ୟୟନ କ୍ଷେତ୍ରରେ ଦକ୍ଷ ବ୍ୟକ୍ତିଙ୍କୁ ପ୍ରଦାନ କରାଯାଇଥାଏ । ଏହି ଭିସା ଦ୍ୱାରା ବିଶ୍ୱରୂପା ଜାତୀୟ ପ୍ରଯୋଜକଙ୍କ ସହାୟତା ବିନା ସଂଯୁକ୍ତ ରାଷ୍ଟ୍ରରେ ବ୍ୟବସାୟର ୧୦୦ ପ୍ରତିଶତ ମାଲିକାନା ସହିତ ୧୦ ବର୍ଷ ଧରି ପଶ୍ଚିମ ଏସୀୟ ଦେଶରେ ରହି କାର୍ଯ୍ୟ କରିପାରିବେ ।

ୟୁଏଇର ଗୋଲଡେନ ଭିସା ପାଇଥିବା ପ୍ରଥମ ଓଡ଼ିଆ ଶିଳ୍ପୀ ବିଶ୍ୱରୂପା ମହାନ୍ତି ହେଉଛନ୍ତି ଓଡ଼ିଆ ସିନେମା ଜଗତର ସ୍ୱନାମଧନ୍ୟ ଗୀତିକାର ତଥା ‘ଅଭିଳାଷ’ ଚଳଚ୍ଚିତ୍ରର ଏଇ ଝୁମା ଝୁମା ଗୋଲାପୀ ବେଳାରେ… ଗୀତର ଫେମ୍‌ ସଂଗ୍ରାମ କେଶରୀ ମହାନ୍ତିଙ୍କର ଝିଅ । ଏକାଡେମିକ ଏବଂ ଡିଜାଇନ୍‌ କ୍ଷେତ୍ରରେ ୮ ବର୍ଷ କାର୍ଯ୍ୟ କରିଥିବା ବିଶ୍ୱରୂପା ୨୦୦୭ରୁ ଦୁବାଇ ଅର୍ଥନୈତିକ ବିଭାଗର ପଞ୍ଜିକୃତ ସ୍ୱନିଯୁକ୍ତ ଶିଳ୍ପୀ ଭାବେ କାର୍ଯ୍ୟ କରି ଆସୁଛନ୍ତି । ବାରିପଦା ସ୍କୁଲ ଅଫ୍‌ ଆର୍ଟ ଏଣ୍ଡ କ୍ରାଫ୍‌ଟରୁ ସୁକ୍ଷ୍ମ କଳାରେ ସେ ଡିପ୍ଲୋମା କରିଥିବା ବେଳେ ଏନ୍‌ଆଇଏଫ୍‌ଟି ନ୍ୟୁ ଦିଲ୍ଲୀରୁ ସେ ଫ୍ୟାସନ ଡିଜାଇନରେ ସ୍ନାତକୋତ୍ତର ଏବଂ ଆଇଇଡି ମିଲନରୁ ଫେସନ ଏଣ୍ଡ ଟେକ୍ସଟାଇଲ୍‌ ଡିଜାଇନରେ ମାଷ୍ଟର ଡିଗ୍ରୀ ମଧ୍ୟ କରିଛନ୍ତି ।

ଗୋଲଡେନ ଭିସା ପାଇବା ପରେ ବିଶ୍ୱରୂପା କହିଛନ୍ତି, ଯେତେବେଳେ ମନ, ହୃଦୟ, ଆତ୍ମା ନିଜର ପ୍ୟାସନ ପ୍ରତି ସମର୍ପିତ ହୋଇଯାଏ ସେତେବେଳେ ଆଶା ଅପେକ୍ଷା ଅଧିକ ସଫଳତା ମିଳିଥାଏ । ଓଡ଼ିଶାର ସଂସ୍କୃତିକୁ ପ୍ରଚାର ପ୍ରସାର କରିବାରେ ସର୍ବଦା ଯତ୍ନବାନ ରହିବେ ବୋଲି ସେ କହିଛନ୍ତି । ଭଗବାନଙ୍କ ନିକଟରେ କୃତଜ୍ଞତା କରି ବିଶ୍ୱରୂପା ତାଙ୍କର ଏହି ସଫଳତାର ଶ୍ରେୟ ପରିବାର, ମେଣ୍ଟର, ଶୁଭେଚ୍ଛୁ, ଦୁବାଇ କଳା ସଂସ୍କୃତି ବିଭାଗ ଏବଂ ତାଙ୍କର ମାର୍ଗଦର୍ଶକଙ୍କୁ ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.