ଭାରତୀୟ ଷ୍ଟେଟ ବ୍ୟାଙ୍କ ଯଶିପୁର ଶାଖା ରୁ ଡକାୟତି ଉଦ୍ୟମ ବେଳେ ବାଜିଲା ସାଇରନ ,ଛତ୍ରଭଙ୍ଗ ଦେଲେ ଲୁଟେରା

0 8

ଯଶିପୁର  : ଭାରତୀୟ ଷ୍ଟେଟ ବ୍ୟାଙ୍କ ଯଶିପୁର ଶାଖାରେ ଗତ କାଲି ବିଳମ୍ବିତ ରାତିରେ ଡକାୟତି ଉଦ୍ୟମ ହୋଇଛି । ବ୍ୟାଙ୍କ ପଛ ପଟୁ ଦୁର୍ବୃତ୍ତ ମାନେ ପଶି ସମ୍ମୁଖ ସଟର ,ଗ୍ରୀଲ ,କାଠ କବାଟ ଭାଙ୍ଗିବା ସହ ସିସିଟିଭି ଭାଙ୍ଗି ବ୍ୟାଙ୍କ ଭିତରେ ପ୍ରବେଶ କରିଥିଲେ । ବ୍ୟାଙ୍କର ଷ୍ଟ୍ରଙ୍ଗ ରୁମ୍‌ ଜାଲି ଗେଟ୍‌ ଭାଙ୍ଗିବା ପାଇଁ ଉଦ୍ୟମ କରୁଥିବା ବେଳେ ହଠାତ୍‌ ସାଇରନ ବାଜି ଉଠିଥିଲା ।ସାଇରନ ଶବ୍ଦ ଶୁଣି ଡକାୟତ ମାନେ ଛତ୍ରଭଙ୍ଗ ଦେଇଥିଲେ । ଡକାୟତ ମାନେ ଷ୍ଟ୍ରଙ୍ଗ ରୁମ ସାମନାରେ ତାଲା ଭାଙ୍ଗିବା ପାଇଁ ବ୍ୟବହାର କରିଥିବା ଏକ ବଙ୍କା ଲୁହା ରଡ଼ ଛାଡି ଯାଇଥିବା ଦେଖିବାକୁ ମିଳିଛି।

ଯଶିପୁର ପୁଲିସ ଓ ବ୍ୟାଙ୍କ କର୍ମଚାରୀ ମଧ୍ୟ ତୁରନ୍ତ ପହଞ୍ଚି ଥିଲେ ।ବ୍ୟାଙ୍କ ପ୍ରବନ୍ଧକ ଏକ ଲିଖିତ ଏତଲା ଦେବା ପରେ ପୁଲିସ ପକ୍ଷରୁ ୧୫୨/୨୧ ରେ ଏକ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି । ବାରିପଦାରୁ ଡଗ୍‌ ସ୍କ୍ୱାଡ ଓ ସାଇଣ୍ଟିଫିକ ଟିମ୍‌ ପହଞ୍ଚି ତଦନ୍ତ ଚଳାଇଛନ୍ତି ।ରାଇରଙ୍ଗପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମନୋରଞ୍ଜନ ବିଶ୍ୱାଳ, କରଞ୍ଜିଆ ଉପଖଣ୍ଡ ପୁଲିସ ଅଧିକାରୀ ସୁଦର୍ଶନ ଗାଙ୍ଗୋଇ, ଥାନାଧିକାରୀ କ୍ଷମସାଗର ପଣ୍ଡାଙ୍କ ସମେତ ଅନ୍ୟ କର୍ମଚାରୀ ତଦନ୍ତ ଚଳାଇଛନ୍ତି ।ସିସିଟିଭି ଫୁଟେଜ ଆଧାରରେ କଏଦ ହୋଇଥିବା ଫଟୋରୁ ଅପରାଧୀ ଖୁବ ଶୀଘ୍ର ଧରାପଡିବ ବୋଲି ବରିଷ୍ଠ ପୁଲିସ ଅଧିକାରୀ ପ୍ରକାଶ କରିଛନ୍ତି। ବ୍ୟାଙ୍କରୁ କୈାଣସି ଅର୍ଥ ଲୁଟପାଟ ହୋଇନଥିବା ଜଣାପଡିଛି ।

କିଛି ଦିନ ପୂର୍ବରୁ ଏଭଳି ଡକାୟତି ସମବାୟ ବ୍ୟାଙ୍କରେ ଉଦ୍ୟମ କରି ବିଫଳ ହେବାପରେ ପୋଷ୍ଟ ଅଫିସରୁ ନଗଦ ଟଙ୍କା ପାଖାପାଖି ଦେଢ଼ଲକ୍ଷ ନେଇ ଦୁର୍ବୃତ୍ତ ମାନେ ନେବାରେ ସଫଳ ହୋଇଥିବାରୁ ଲୁଟେରାଙ୍କ ସାହସ ବଢି ଚାଲିଛି । ଏସବୁ ଘଟଣାରେ ବର୍ତ୍ତମାନ ସୁଦ୍ଧା ପୁଲିସ ହାତରେ କୌଣସି ଠୋସ ପ୍ରମାଣ ମିଳିପାରିନାହିଁ ।ଲଗାତାର ଚୋରି,ଡକାୟତି ବୃଦ୍ଧି ପାଉଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି ।ନୂତନ ଆରକ୍ଷୀ ଅଧିକ୍ଷକ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

 

 

Leave A Reply

Your email address will not be published.