ମେ ୧୫ ସୁଦ୍ଧା ଓଡ଼ିଶାରେ ଦୈନିକ କରୋନା ସଂକ୍ରମିତ ସଂଖ୍ୟା ୧୩,୦୦୦ ଟପିପାରେ

0 23

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼଼ୁଛି ଓ କମୁଛି । ଦୈନିକ ସଂକ୍ରମିତଙ୍କ ସଂଖ୍ୟା କେଉଁ ଦିନ ୭,୦୦୦ ତଳେ ରହୁଛି ତ କେଉଁ ଦିନ ୮,୦୦୦ ପାର୍‌ କରୁଛି । ଦିନକୁ ଦିନ ମୄତ୍ୟୁ ସଁଖ୍ୟା ବି ବଢୁଛି । ସ୍ୱାସ୍ଥ୍ୟ ବିଭାଗର ଆକଳନ ଅନୁସାରେ ମେ ମାସରେ ଦୈନିକ ସଂକ୍ରମଣ ସଂଖ୍ୟା ୧୩,୦୦୦ ଟପିପାରେ ।

ମେ ୧୫ ତାରିଖ ବେଳକୁ ରାଜ୍ୟରେ କରୋନା ପଜିଟିଭିଲୋକଙ୍କ ସଂଖ୍ୟା ୨ ଲକ୍ଷ ୪ ହଜାର ପହଞ୍ଚିପାରେ ବୋଲି ସ୍ୱାସ୍ଥ୍ୟ ବିଭାଗ ଆକଳନ କରିଛି । ଏହି ସମୟ ଭିତରେ ଦେନିକ ୧୩ ହଜାର ଆକ୍ରାନ୍ତ ଚିହ୍ନଟ ହୋଇପାରନ୍ତି । ସେତେବେଳକୁ ୫,୮୧୫ ଜଣ ରୋଗୀ ଡାକ୍ତରଖାନାରେ ଭର୍ତ୍ତି ହେବେ । କ୍ରିଟିକାଲ୍‌ କେୟାର ପେସେଣ୍ଟ ୨,୦୪୦ ହୋଇଥିବେ। ସେମାନଙ୍କ ମଧ୍ୟରୁ ୪୩୮ ଜଣ ଭେଣ୍ଟିଲେଟର ସପୋର୍ଟରେ ରହିଥିବେ । ଏଭଳି ସ୍ଥିତିକୁ ସାମନା କରିବା ସ୍ୱାସ୍ଥ୍ୟ ବିଭାଗ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହେବ ।

‘‘ଆଇ.ଆଇ.ଟି. କାନପୁରର ଏକ ଅଧ୍ୟୟନ ଅନୁସାରେ ଦେଶରେ ମେ ମାସ ଦ୍ଵିତୀୟ ସପ୍ତାହ ବେଳକୁ କରୋନାରେ ପିକ୍‌ ଆସିପାରେ । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବଢିପାରେ କି କମିପାରେ ଆମେ ତାକୁ ନଜରରେ ରଖି ଦୈନିକ ବିଶ୍ଳେଷଣ କରି ଯୋଜନା କରୁଛୁ । ଯେଉଁଠି ସଂକ୍ରମଣ ବଢ଼ୁଛି ସେଠି ଆଉ କ’ଣ କରିବା ଦରକାର ଆମେ ତାକୁ ନେଇ କାର୍ଯ୍ୟ କରୁଛୁ । ସିନିଅର ଅଫିସରମାନଙ୍କ ତତ୍ତ୍ୱାବଧାନରେ ଆମେ ଆକ୍ସନ ନେଉଛୁ । ସବୁ ବିଭାଗ ପାରସ୍ପରିକ ସମନ୍ୱୟରେ କାର୍ଯ୍ୟ କରୁଛନ୍ତି ଓ ଆଗକୁ ବି କରିବେ । ପଶ୍ଚିମ ଓଡ଼ିଶାରେ ହସପିଟାଲ୍‌ ଆଡ଼ମିସନ ରେଟ୍‌ ଅଧିକ ରହୁଥିବାରୁ ତାକୁ ଦୃଷ୍ଟିରେ ରଖି ବ୍ୟବସ୍ଥା କରାଯାଉଛି,’’ କହିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ସଟଡାଉନ ବା ଲକଡାଉନର ଆବଶ୍ୟକତା ବର୍ତ୍ତମାନ ରାଜ୍ୟର ସବୁ ଜାଗାରେ ନାହିଁ ବୋଲି ସେ କହିଛନ୍ତି । ଗତ ବର୍ଷ ସଟଡାଉନ ଓ ଲକଡାଉନ ଲଗାଯାଇଥିଲା । ତାହାର ପ୍ରଭାବ କେମିତି ଥିଲା ତାକୁ ଅନୁଧ୍ୟାନ କରାଯାଇ ଏବେ ପଦକ୍ଷେପ ନିଆଯାଉଛି । କିନ୍ତୁ ଯେଉଁ ଜାଗାରେ ପଜିଟିଭ ଅଧିକ ବଢୁଛି, ଲୋକେ ଅମାନିଆ ହେଉଛନ୍ତି ଓ ଭିଡ଼ ହେଉଛି ସେହି ଜାଗାରେ ସଟଡାଉନ ଓ ଲକଡାଉନ ଭଳି ପଦକ୍ଷେପ ନିଆଯାଇପାରେ ବୋଲି ସେ କହିଛନ୍ତି ।

‘‘ଆମେ କରୋନା ନିୟନ୍ତ୍ରଣ ପାଇଁ ନୂଆ ଷ୍ଟ୍ରାଟେଜୀ କରୁଛୁ । ଏବେ ୪୩ ପ୍ରତିଶତ ଜେନେରାଲ୍‌ ବେଡ଼, ୬୩ ପ୍ରତିଶତ ଆଇ.ସି.ୟୁ. ବେଡ଼ ଓ ୩୫ ପ୍ରତିଶତ ଭେଣ୍ଟିଲଟର ବେଡ଼ରେ ରୋଗୀ ଚିକିତ୍ସିତ ହେଉଛନ୍ତି । ପଶ୍ଚିମ ଓଡ଼ିଶାରେ ରୋଗୀ ଅଧିକ ଅଛନ୍ତି । ସେଠାରେ ଏ.ଡି.ଏମ୍‌. ଓ ନୋଡାଲ୍‌ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସମେତ ଷ୍ଟେଟ୍‌ ନୋଡାଲ୍‌ ଅଧିକାରୀ ସ୍ଥିତିକୁ ମନିଟର୍‌ କରୁଛନ୍ତି,’’ କହିଛନ୍ତି ମହାପାତ୍ର ।

ଗୋଟିଏ ଦିନର ରୋଗୀ ସଂଖ୍ୟା ଦେଖି ଲୋକେ ଭୟଭୀତ ହେବା ଉଚିତ ନୁହେଁ ବୋଲି ସେ କହିଛନ୍ତି । ‘‘ପନ୍ଦର ଦିନର ତଥ୍ୟ ଦେଖି ସମୀକ୍ଷା କରାଯାଉଛି । ରୋଗ ହେଲେ ମୃତ୍ୟୁ ନିଶ୍ଚିତ ହେବ । ହେଲେ ଅନ୍ୟ ରାଜ୍ୟ ଠାରୁ ଓଡ଼ିଶାରେ ଭଲ ସ୍ଥିତି ଅଛି । କେନ୍ଦ୍ର ସରକାରଙ୍କ ଏକ୍ସପର୍ଟ କମିଟି ଓ ରାଜ୍ୟ ସରକାରଙ୍କ ଏକ୍ସପର୍ଟ କମିଟିଙ୍କ କଥା ଲୋକେ ଶୁଣିବା ଉଚିତ । ସୋସିଆଲ୍‌ ମିଡିଆ କଥା ବିଶ୍ୱାସ କରିବା ଉଚିତ ନୁହେଁ,’’ ସେ କହିଛନ୍ତି ।

ଓଡ଼ିଶାରେ ଦିନକୁ ଦିନ ମୄତ୍ୟୁ ସଂଖ୍ୟା ବଢ଼ୁଛି । ଗତ ୧୦ ଦିନ ଭିତରେ ୯୫ ଜଣଙ୍କ ମୁଣ୍ଡ ନେଲାଣି କରୋନା । ଏପ୍ରିଲ ମାସରେ ୧୦୪ ଜଣଙ୍କ ଜୀବନ ଗଲାଣି । ୨୦ ତାରିଖରେ ପାଞ୍ଚ ଜଣ, ୨୧ ତାରିଖରେ ପାଞ୍ଚ ଜଣ, ୨୨ ତାରିଖରେ ସାତ ଜଣ, ୨୩ ତାରିଖରେ ଆଠ ଜଣ, ୨୪ ତାରିଖରେ ଆଠ ଜଣ, ୨୫ ତାରିଖରେ ସାତ ଜଣ, ୨୬ ତାରିଖରେ ନଅ ଜଣ, ୨୭ ତାରିଖରେ ୧୦ ଜଣ, ୨୮ ତାରିଖରେ ୧୦ ଜଣ, ୨୯ ତାରିଖରେ ୧୨ ଜଣ ଓ ୩୦ ତାରିଖରେ ୧୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ସଂକ୍ରମିତଙ୍କ ସଂଖ୍ୟା କେବେ ବଢୁଛି ତ ପୁଣି କେବେ କମୁଛି । ରାଜ୍ୟରେ ଦୈନିକ ସଂକ୍ରମଣ ଏପ୍ରିଲ୍‌ ୧୯ ତାରିଖରେ ୪,୭୬୧, ୨୦ ତାରିଖରେ ୪,୮୫୧, ୨୧ ତାରିଖରେ ୬,୧୬୪, ୨୨ ତାରିଖରେ ୬,୨୧୫, ୨୩ ତାରିଖରେ ୬,୬୪୭, ୨୪ ତାରିଖରେ ୬,୧୧୬, ୨୫ ତାରିଖରେ ୬,୫୯୯, ୨୬ ତାରିଖରେ ୬,୦୭୩, ୨୭ ତାରିଖରେ ୮,୩୮୬, ୨୮ ତାରିଖରେ ୬,୯୯୮ ଓ ୨୯ ତାରିଖରେ ୮,୬୮୧ ରହିଥିଲା । ଗତ ୧୦ ଦିନରେ ଓଡ଼ିଶାରେ ୬୨,୮୧୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

‘‘ଏବେ ରାଜ୍ୟରେ ଫ୍ଲାଟେନିଙ୍ଗ୍‌ କର୍ଭରେ ରହୁଛି ସଂକ୍ରମଣର ସ୍ଥିତି, ଅର୍ଥାତ ଏକ ସମତଳରେ ଅଛି । ଢେଉ ଭଳି ରହୁଛି । କେତବେଳେ ଉପରେ ତ କେତେବେଳେ ତଳେ ରହୁଛି ସଂକ୍ରମିତଙ୍କ ସଂଖ୍ୟା । ଦିନେ ପୂର୍ବରୁ ୮,୦୦୦ ଉପରେ ଥିବା ବେଳେ ପର ଦିନ ୭,୦୦୦ ତଳେ ରହିଛି । ସେଥି ପାଇଁ କୌଣସି ଭୟ ରିବାର ଆବଶ୍ୟକତା ନାହିଁ । ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ମୃତ୍ୟୁ ସଂଖ୍ୟା କମ୍‌ ଅଛି । କରୋନା ସଂକ୍ରମିତ ହେବା ପରେ ଅନ୍ୟ ରୋଗ ଯୋଗୁଁ ଲୋକେ ମୃତ୍ୟୁ ବରଣ କରୁଛନ୍ତି । ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି,’’ କହିଛନ୍ତି ଡି.ଏମ୍‌.ଇ.ଟି. ଡଃ ସି.ବି.କେ. ମହାନ୍ତି ।

Leave A Reply

Your email address will not be published.