ମେ’ ୫ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ମମତା ବାନାର୍ଜୀ

0 3

କୋଲକାତା : ୨୦୨୧ ବିଧାନସଭା ନିର୍ବାଚନରେ ବିପୁଳ ଭୋଟରେ ବିଜୟ ହାସଲ କରିବା ପରେ ଏବେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ପ୍ରସ୍ତୁତ ହେଉଛନ୍ତି ତୃଣମୂଳ କଂଗ୍ରେସ(ଟିଏମସି)ର ସୁପ୍ରିମୋ ମମତା ବାନାର୍ଜୀ। ଗତକାଲି ଫଳାଫଳ ଆସିବା ପରେ ମେ’ ୫ରେ ଟିଏମସି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଜଣାପଡ଼ିଛି। ଏହା ପୂର୍ବରୁ ଆଜି ଟିଏମସି ବୈଠକରେ ସର୍ବସମ୍ମତିକ୍ରମେ ମମତା ବାନାର୍ଜୀଙ୍କୁ ବିଧାୟକ ଦଳ ନେତା ବଛାଯାଇଛି। ଶପଥ ଗ୍ରହଣ ସମାରୋହ ବିଷୟରେ ମମତା ବାନାର୍ଜୀ କହିଛନ୍ତି ଯେ, ଆମେ ଏକ ସରଳ ଶପଥ ଗ୍ରହଣ କାର୍ଯ୍ୟକ୍ରମ କରିବୁ। ସେ କହିଛନ୍ତି ଯେ, ଦେଶ କରୋନା ଯୁଦ୍ଧରେ ଜିତିବା ପର୍ଯ୍ୟନ୍ତ ଆମେ କୌଣସି ପ୍ରକାରର ଶୋଭାଯାତ୍ରା କରିବୁ ନାହିଁ।

ଗତକାଲି ଶାସକ ଦଳ ଟିଏମସି ୨୯୨ଟି ଆସନ ମଧ୍ୟରୁ ୨୧୨ଟି ଆସନ ଜିତି ବିଜେପିର ପଶ୍ଚିମବଙ୍ଗ ହାତେଇବାର ସ୍ବପ୍ନକୁ ମାଟିରେ ମିଶାଇ ଦେଇଥିଲା। ବିପୁଳ ପରିମାଣରେ ଭୋଟ ପାଇ ଟିଏମସି ପୁଣି ଥରେ ବିଜେପିକୁ ମାତ ଦେଇଛି। ପଶ୍ଚିମବଂଗରେ ଟିଏମ୍‌ସିର ହ୍ୟାଟ୍ରିକ୍‌ ବିଜୟ ସହ ଦଳ ସୁପ୍ରିମୋ ମମତା ବାନାର୍ଜୀ ରାଜ୍ୟରେ ବିଜେପିକୁ ଅସଲ ଖେଳ ଦେଖାଇଛନ୍ତି। ଦିଦିଙ୍କ ଦମ୍‌ ଆଗରେ ବିଜେପିର ଯୋଜନା ଫେଲ ମାରିଛି। ଏଥିରୁ ପ୍ରମାଣିତ ହୋଇଛି ଯେ ପଶ୍ଚିମବଂଗରେ ଯିଏ ଥରେ କ୍ଷମତାକୁ ଆସେ ସେ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ଛାଇ ଯାଏ। ୧୯୫୦ରୁ ଲଗାତାର ୧୭ ବର୍ଷ ପର୍ଯ୍ୟନ୍ତ କ୍ଷମତା କଂଗ୍ରେସ ହାତରେ ରହିଥିଲା। ୧୯୭୭ରେ ବାମଦଳଙ୍କ ହାତକୁ କ୍ଷମତା ଆସିବା ପରେ ଲଗାତାର ୭ଟି ବିଧାନସଭା ନିର୍ବାଚନରେ ବାମଦଳଙ୍କର ହିଁ ବିଜୟ ହେଲା। ବାମଦଳମାନେ ସିପିଏମ୍‌ ନେତୃତ୍ବରେ ଦୀର୍ଘ ୩୪ ବର୍ଷ ଧରି ପଶ୍ଚିମବଂଗରେ ଶାସନ କଲେ। ୨୦୧୧ରେ ବାମପନ୍ଥୀଙ୍କ ଶାସନର ପରିସମାପ୍ତି ସହ ମମତାଙ୍କ ଟିଏମ୍‌ସି କ୍ଷମତା ଦଖଲ କଲା ଏବଂ ଚଳିତ ନିର୍ବାଚନରେ ଏହା ପୁଣି ଥରେ ସଂଖ୍ୟାଗରିଷ୍ଠତା ହାସଲ କରିବାକୁ ସକ୍ଷମ ହୋଇଛି।

Leave A Reply

Your email address will not be published.