ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ସମ୍ଭାବନା

0 21

ଭୁବନେଶ୍ୱର : ଆଜି ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ରାଜ୍ୟର କିଛି ସ୍ଥାନରେ ଘଡ଼ଘଡ଼ି ସହ ସାମାନ୍ୟ ବର୍ଷାର ସମ୍ଭାବନା ରହିଛି । ଏହାକୁ ନେଇ କେନ୍ଦୁଝର, ମୟୂରଭଂଜ, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଏବଂ କନ୍ଧମାଳ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ସେହିପରି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜଳୁଛି ସାରା ଓଡ଼ିଶା । ଗତକାଲି ୧୫ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ ହୋଇଛି । ବୌଦ୍ଧରେ ସର୍ବାଧିକ ତାପମାତ୍ରା ୪୩. ୨ ଡିଗ୍ରୀ ରେକର୍ଡ ହୋଇଛି । ୪୨ ଡିଗ୍ରୀ ଉପରେ ରହିଛି ୬ ସହର । ଝାରସୁଗୁଡ଼ା ୪୨.୮, ବଲାଙ୍ଗିର ୪୨.୫, ସମ୍ବଲପୁର ୪୨.୩, ଅନୁଗୁଳ ୪୨.୧, ଭୁବନେଶ୍ୱର ୩୯.୫, କଟକ ୩୯.୮ ଡିଗ୍ରୀ ରେକର୍ଡ ହୋଇଛି ।

ସେପଟେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ରାୟଗଡ଼ାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଗତ କିଛି ଦିନ ଧରି ପ୍ରବଳ ଖରା ସାଙ୍ଗକୁ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି । ଯାହା ଫଳରେ ଲୋକେ ପ୍ରବଳ ତାତିରେ ଡହଳବିକଳ ହେଉଛନ୍ତି  । ଅତ୍ୟଧିକ ଖରା ଯୋଗୁଁ ସକାଳ ୧୦ଟା ପରେ ଆଉ ପଦାକୁ ବାହାରି ହେଉନାହିଁ ।  ନିହାତି ଜରୁରୀ କାମ ନଥିଲେ ଲୋକେ ଘରୁ ପଦାକୁ ବାହାରୁ ନାହାନ୍ତି ।

ମଧ୍ୟାହ୍ନ ୧୨ଟା ବେଳକୁ ରାସ୍ତାଘାଟ ଶୂନଶାନ ହୋଇ ପଡୁଛି । ପ୍ରବଳ ଖରା ଯୋଗୁଁ ସହରକୁ ଆସୁଥିବା ଲୋକ ଶୋଷରେ ଆଉଟୁପାଉଟୁ ହେବା ସହ ବିଭିନ୍ନ ଦୋକାନ ବଜାରରେ ଆଶ୍ରୟ ନେଉଛନ୍ତି । ପ୍ରଚଣ୍ଡ ଖରା ଯୋଗୁଁ ବ୍ୟବସାୟୀମାନେ ମଧ୍ୟ ପ୍ରଭାବିତ ହେଉଛନ୍ତି  । ଗୋଟିଏ ପଟେ ସପ୍ତାହାନ୍ତ ସଟଡାଉନ, ତା ସାଙ୍ଗକୁ ପ୍ରବଳ ଖରା ଯାହା ଫଳରେ ବଜାରରେ ଆଉ ଲୋକଙ୍କ ଦେଖା ମିଳୁନି  । ଏଣୁ କାରବାର ହେଉନଥିବା ବ୍ୟବସାୟୀ କହିଛନ୍ତି । ତେବେ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲା ଯାଇଥିବା କୁହାଯାଇଛି  ।

Leave A Reply

Your email address will not be published.