ଶସ୍ତା ହେବ ଥର୍ମୋମିଟର, ବିପି ମେସିନ ଓ ଅକ୍ସିମିଟର

0 9

ନୂଆଦିଲ୍ଲୀ: କୋଭିଡ୍‌-୧୯ ପରିଚାଳନା ଦିଗରେ ଏକ ବଡ଼ ନିଷ୍ପତ୍ତି ନେଇଛି ଔଷଧ ନିୟନ୍ତ୍ରକ ଏନ୍‌ପିପିଏ । କରୋନା ପରିଚାଳନା ପାଇଁ ବହୁଳ ଭାବେ ବ୍ୟବହୃତ ହେଉଥିବା ୫ଟି ମେଡିକାଲ ଡିଭାଇସ୍‌ ଉପରେ ନ୍ୟାସ୍‌ନାଲ ଫାର୍ମାସ୍ୟୁଟିକାଲ ପ୍ରାଇସିଂ ଅଥରିଟି (ଏନ୍‌ପିପିଏ) ଟ୍ରେଡ୍‌ ମାର୍ଜିନ ଧାର୍ଯ୍ୟ କରିଛି । ଅର୍ଥାତ୍‌ ନିର୍ଦ୍ଧାରିତ ସୀମାଠାରୁ କମ୍ପାନି ଅଧିକ ଲାଭ ରଖିପାରିବେ ନାହିଁ । ଏହି ଡିଭାଇସ୍‌ଗୁଡ଼ିକ ମଧ୍ୟରେ ପଲ୍ସ ଅକ୍ସିମିଟର, ବ୍ଲଡ୍‌ ପ୍ରେସର ମନିଟରିଂ ମେସିନ୍‌, ନେବୁଲାଇଜର, ଡିଜିଟାଲ ଥର୍ମୋମିଟର ଏବଂ ଗ୍ଲୁକୋମିଟର ରହିଛି । ଟ୍ରେଡ୍‌ ମାର୍ଜିନକୁ ୭୦%ରେ ସୀମିତ ରଖାଯିବ ।

ନିଷ୍ପତ୍ତି ଦ୍ୱାରା ଏ ସାମଗ୍ରୀଗୁଡ଼ିକ ଶସ୍ତା ହେବ । ଏଗୁଡ଼ିକର ଏମ୍‌ଆର୍‌ପି ଖସିବ । ଜଣେ ନିର୍ମାତା ମହଜୁଦକାରୀ ବା ବିତରକଙ୍କୁ ଯେଉଁ ମୂଲ୍ୟରେ ଏହି ଡିଭାଇସ୍‌ଗୁଡ଼ିକୁ ଯୋଗାନ୍ତି ଏବଂ କ୍ରେତାଙ୍କ ପାଇଁ ଧାର୍ଯ୍ୟ କରାଯାଇଥିବା ଏମ୍‌ଆର୍‌ପି ମଧ୍ୟରେ ରହୁଥିବା ଅନ୍ତରକୁ ଟ୍ରେଡ୍‌ ମାର୍ଜିନ କୁହାଯାଇଥାଏ । ଏନ୍‌ପିପିଏ ତଥ୍ୟ ଅନୁସାରେ ପୂର୍ବରୁ ଟ୍ରେଡ୍‌ ମାର୍ଜିନ ୭୦୯% ପର୍ଯ୍ୟନ୍ତ ରହୁଥିଲା ।ସଂଶୋଧିତ ଦର ଜୁଲାଇ ୨୦ରୁ ଲାଗୁ ହେବ ଏବଂ ଏହା ୨୦୨୨ ଜାନୁଆରୀ ୩୧ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ଯାଏ ପ୍ରଭାବୀ ରହିବ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.