ସୌମ୍ୟରଞ୍ଜନ ମୃତ୍ୟୁ ଘଟଣା ରେ ପୋଲିସକୁ ସହଯୋଗ କରିବାକୁ ପାରଳାଖେମୁଣ୍ଡିରେ ପହଞ୍ଚିଲେ ୪ଜଣିଆ କ୍ରାଇମ୍‌ବ୍ରାଞ୍ଚ୍‌ ଟିମ୍

0 6

ପାରଳାଖେମୁଣ୍ଡି, :  ପ୍ରତିଦିନ ନୂଆ ନୂଆ ତଥ୍ୟ ଯୋଡ଼ି ହେବାରେ ଲାଗିଛି ଯାହାକି ବହୁ ଚର୍ଚ୍ଚିତ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣାକୁ ଅଧିକ ରହସ୍ୟାବୃତ୍ତ କରି ଦେଇଛି । ଏନେଇ ଆଜି ପାରଳାଖେମୁଣ୍ଡିରେ କ୍ରାଇମବ୍ରାଞ୍ଚର ୪ଜଣିଆ ଟିମ୍‌ ପହଞ୍ଚିଛନ୍ତି। କ୍ରାଇମବ୍ରାଞ୍ଚ ଡିଏସ୍‌ପି ବିଜୟ ମଲ୍ଲିକଙ୍କ ନେତୃତ୍ବରେ ଆସିଛନ୍ତି ୪ଜଣିଆ ଟିମ୍‌। ତଦନ୍ତରେ ପୋଲିସକୁ ସହଯୋଗ କରିବ କ୍ରାଇମବ୍ରାଞ୍ଚ ଟିମ୍‌। ଅପରପକ୍ଷରେ ସୌମ୍ୟରଞ୍ଜନଙ୍କ ପରିବାର ଲୋକେ ଭୁବନେଶ୍ୱର, କଟକ ଆସି ଡିଜି ଓ ଅନ୍ୟ ପଦାଧିକାରୀଙ୍କୁ ଭେଟି କେତେକ ବିସ୍ଫୋରକ ବୟାନ ଦେଇଛନ୍ତି ।

ଗଜପତି ଏସ୍‌ପି ତପନ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ, ଏସଆଇ ବିନାୟକ ମନ୍ତ୍ରୀ, ହାବିଲଦାର ତ୍ରିନାଥ ପଟ୍ଟନାୟକ, କନଷ୍ଟେବଳ ହରେକୃଷ୍ଣ ସାମଲ, ଚୂଡ଼ାମଣି କାନ୍ତି, ବବିତା ରାଣୀ ମହାନ୍ତି ପ୍ରମୁଖ ସକାଳେ ଖଇରା ଥାନାରେ ପହଞ୍ଚି ଥାନାଧିକାରୀ ଶ୍ରୀବଲ୍ଲଭ ସାହୁଙ୍କ ସହିତ ଆଲୋଚନା କରିଥିଲେ । ଖଇରା ଥାନା ଅଧିକାରୀଙ୍କ ଦ୍ୱାରା ଗଠିତ ଏକ ଟିମ୍‌ ଓ ପାରଳାଖେମୁଣ୍ଡିର ୬ ଜଣିଆ ତଦନ୍ତକାରୀ ଟିମ୍‌ ଖଇରା ଥାନା ନୟାଖଣ୍ଡି ପଞ୍ଚାୟତ ଅଧୀନ ବେଗୁନିଆ ଗ୍ରାମର ସୌମ୍ୟରଞ୍ଜନଙ୍କ ବାସଭବନକୁ ଯାଇଥିଲେ । ପରିବାର ଓ ସମ୍ପର୍କୀୟଙ୍କୁ ଘଟଣା ବିଷୟରେ ୪ ଘଣ୍ଟାରୁ ଊଦ୍ଧ୍ୱର୍ ସମୟ ଧରି ପଚରାଉଚରା କରିଥିଲେ । ତଦନ୍ତକାରୀ ଟିମ୍‌ ସୌମ୍ୟରଞ୍ଜନଙ୍କ ବଡ଼ଭାଇ ରଞ୍ଜନ ମହାପାତ୍ର, ମାଆ ତୁଳସୀ ମହାପାତ୍ର, ମାମୁ ଶୀତିକଣ୍ଠ ପଣ୍ଡା, ମାଇ ଉର୍ମିଳା ପଣ୍ଡା, ମାମୁ ଝିଅ ଭଉଣୀ ତୃଷ୍ଣାରାଣୀ ପଣ୍ଡା, ମାମୁ ପୁଅ ଭାଇ ସତ୍ୟବ୍ରତ ପଣ୍ଡାଙ୍କ ବୟାନ ରେକର୍ଡ କରିଛନ୍ତି । ପରେ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅଧୀନ ଗୌଡ଼ଗାଁର ବିଦ୍ୟାଭାରତୀଙ୍କ ଘରକୁ ଯାଇ ସେଠାରେ ବିଦ୍ୟାଭାରତୀ ଏବଂ ତାଙ୍କ ପରିବାର ଲୋକଙ୍କ ବୟାନ ରେକର୍ଡ କରାଯିବ ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି ।

ସୌମ୍ୟରଞ୍ଜନଙ୍କ ମା’ ପୁଲିସକୁ ଦେଇଥିବା ବୟାନ ଆଧାରରେ ବାହାଘର ପରେ ବୋହୂ ବିଦ୍ୟାଭାରତୀ ବଲାଙ୍ଗୀରରେ ଏକ ବ୍ୟାଚଲର ପାର୍ଟି ଦେଇଥିଲେ । ସୌମ୍ୟରଞ୍ଜନଙ୍କୁ ମଧ୍ୟ ସେଠାକୁ ଡାକି ନେଇଥିଲେ । ମାତ୍ର ବଲାଙ୍ଗୀରରେ ପହଞ୍ଚିବା ପରେ ସୌମ୍ୟଙ୍କୁ ସେଠାରୁ ଫେରାଇ ଦେଇଥିଲେ । ପରେ ତାଙ୍କୁ ୩୦ହଜାର ଟଙ୍କା ପଠାଇବା ପାଇଁ ବିଦ୍ୟାଭାରତୀ କହିଥିଲେ । ହେଲେ ସୌମ୍ୟରଞ୍ଜନ ମନା କରିବାରୁ ବିଦ୍ୟାଭାରତୀ ଧମକ ଦେବା ସହିତ ଅନ୍ୟ ଜଣେ ଯୁବକଙ୍କ ସହିତ ଉଠାଇଥିବା ଅଶ୍ଳୀଳ ଫଟୋ ପଠାଇଥିଲେ ।

ସୌମ୍ୟରଞ୍ଜନଙ୍କ ମୃତ୍ୟୁ ପରେ ତାଙ୍କର ସମସ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତି ବିଦ୍ୟାଭାରତୀଙ୍କର ବୋଲି ଗତ ୯ ତାରିଖରେ ଲେଖା ହୋଇଥିବା ଏକ ଏଗ୍ରିମେଣ୍ଟ ପେପର ନକଲ କପି ଓ ଏକ ଡାଏରୀ ପୁଲିସକୁ ମିଳିଛି । ଉକ୍ତ ଡାଏରୀରେ ୧୨ରୁ ୧୫ ତାରିଖ ମୋ ପାଇଁ କାଳରାତ୍ରି ବୋଲି ଲେଖା ଯାଇଛି । ଏହି ହାତଲେଖା କାହାର ତାହା ଏବେ ସନ୍ଦେହ ଘେରରେ ରହିଛି । ଅନ୍ୟପଟେ ଘଟଣାକୁ ୮ଦିନ ବିତିଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଡିଏଫଓଙ୍କୁ ତଦନ୍ତ ପରିସରଭୁକ୍ତ ନକରାଯିବା ଏବଂ ତାଙ୍କର ସିଡିଆର ଯାଞ୍ଚ କରାନଯିବା ନେଇ ପରିବାର ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଡିଏଫଓଙ୍କୁ ତୁରନ୍ତ ବହିଷ୍କାର କରି ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ପରିବାର ଲୋକେ ଦାବି କରିଛନ୍ତି ।

ସେପଟେ ନ୍ୟାୟ ନ ପାଇବାରୁ ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚିଛନ୍ତି । ସେ କହିଛନ୍ତି, ପୁଅ ଆତ୍ମହତ୍ୟା କରିନି ତାକୁ ହତ୍ୟା କରଯାଇଛି । ହତ୍ୟାକାରୀକୁ ଧରିବାକୁ ହେଲେ ଏହି ଘଟଣାର ତଦନ୍ତ କ୍ରାଇମ୍‌ବ୍ରାଞ୍ଚକୁ ଦିଆଯାଉ । କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ପରେ ମୋ’ ପୁଅର ପ୍ରକୃତ ହତ୍ୟାକାରୀ ସାମ୍ନାକୁ ଆସିବେ ।  ଅଭିରାମ ମଙ୍ଗଳବାର ପୂର୍ବାହ୍ଣରେ ଡିିଜିପିଙ୍କୁ ଭେଟି ଘଟଣା ବିଷୟରେ ଜଣାଇଥିଲେ । ସେ ସମୟରେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ କଥା କହିଥିଲେ । ସେଠାରେ ଫେରିବା ପରେ ସେ ପିସିସିଏଫ୍‌ ଅଫିସ୍‌କୁ ଯାଇଥିଲେ । ହେଲେ ପିସିସିଏଫ୍‌ ନଥିବାରୁ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ଭେଟି ଡିଏଫ୍‌ଓଙ୍କ ବିରୋଧରେ ଲିଖତ ଅଭିଯୋଗ ଜଣାଇଥିଲେ । ସେଠାରୁ ଫେରି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଯାଇ ଘଟଣାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ କରାଯାଉ ବୋଲି ଜଣାଇଛନ୍ତି ।

ଗଣମାଧ୍ୟମ ଆଗରେ ଅଭିରାମ କହିଛନ୍ତି, ପୁଅ ପୋଡ଼ି ହେବା ପରେ ପାଖ ହସ୍ପିଟାଲ୍‌ ହେଉଛି ବିଶାଖାପାଟଣା । ହେଲେ ସେଠାକୁ ନନେଇ ତାକୁ କ’ଣ ପାଇଁ କଟକ ନିଆଯାଉଥିଲା । ମୋ ପୁଅକୁ ବୋହୂ ଓ ଡିଏଫ୍‌ଓ ହତ୍ୟା କରିଛନ୍ତି । ଡିଏଫଓ ଓ ରୋଷେୟାର ଲାଏ ଡିଟେକସନ୍‌ ଟେଷ୍ଟ କରାଗଲେ ସବୁ ତଥ୍ୟ ପଦାକୁ ଆସିବ । ଘଟଣାଦିନ ଡିଏଫ୍‌ଓଙ୍କ ସରକାରୀ କ୍ୱାର୍ଟର୍ସ ଆଗରେ କ’ଣ ପାଇ ଆମ୍ୱୁଲାନ୍ସ ଦେଢ଼ ଘଣ୍ଟା ଅଟକିଥିଲା ତାର ତଦନ୍ତ କରାଯାଉ ।

ସେ ଆହୁରି ମଧ୍ୟ କହିଛନ୍ତି, ଗତ ମାସରେ ବୋହୂ ପୁଅ ପାଟିତୁଣ୍ଡ ହେବା ପରେ ବୋହୂ କାଚ ଭାଙ୍ଗି ସିନ୍ଦୁର ପୋଛି କୁଆଡେ ପଳାଇ ଥିଲା । ପୁଅ ଖୋଜିବା ପରେ ଜାଣିବାକୁ ପାଇଥିଲା ସେ ଡିଏଫ୍‌ଓଙ୍କ ପାଖକୁ ଯାଇଥିଲା । ଡିଏଫ୍‌ଓଙ୍କ କ୍ୟାମ୍ପସକୁ ତଦନ୍ତ ପରିସରଭୁକ୍ତ କରାଯାଉ କାରଣ ସେଠାରେ ଅଧା ପୋଡା ଦୁଇଟି ରୁମ୍‌ ରହିଛି । ମୋ ପୁଅକୁ ବାହାରେ ହତ୍ୟା କରି କ୍ୱାର୍ଟର୍ସରେ ପୋଡ଼ା ଯାଇଛି ବୋଲି ଅଭିରାମ କହିଛନ୍ତି । ଗତ ଫେବୃଆରୀ ମାସରେ ପୁଅକୁ ମାନସିକ ଓ ଶାରୀରିକ ନିର୍ଯାତନା ଦିଆ ଯାଇଥିଲା । ରଜ ବେଳେ ମୋ ପୁଅ ମୋତେ କୁଣ୍ଢେଇ ଧରି କାନ୍ଦି ଥିଲା । ଗୋଟିଏ ବର୍ଷ ପର୍ଯ୍ୟନ୍ତ କଣ୍ଟ୍ରାକ୍ଟ ମ୍ୟାରେଜ ହୋଇଥିଲା। ଏଗ୍ରିମେଣ୍ଟ କପି ପୁଲିସ୍‌ ପାଖରେ ରହିଛି । ପୁଲିସକୁ ମିଳିଥିବା ଦଲିଲ ଗତ ୯ ତାରିଖରେ ଲେଖା ହୋଇଥିଲା ବୋଲି ଜଣାପଡ଼ିଛି । ସୌମ୍ୟ ୧୨ ତାରିଖର ପୋଡି ହୋଇଥିବା ବେଳେ ବେଳେ ୯ ତାରିଖରେ ସମ୍ପତ୍ତି ବାବଦରେ ଦଲିଲ ଲେଖା ହୋଇଥିଲା । ୯ ତାରିଖରେ କିଏ ଲେଖିଥିଲା ବୋଲି ପ୍ରଶ୍ନ ଉଠିଛି ।

Leave A Reply

Your email address will not be published.