ହ୍ୱାଟ୍‌ସଆପ୍‌ ଆଣିଲା ନୂଆ ସୁବିଧା, ଏକାଧିକ ଡିଭାଇସ୍‌ରେ ଖୋଲିବ ଆକାଉଣ୍ଟ

0 26

ନୂଆଦିଲ୍ଲୀ : ମେସେଜିଙ୍ଗ୍‌ ଆପ୍‌ ହ୍ୱାଟ୍‌ସଆପ୍‌ ଏହାର ବ୍ୟବହାରକାରୀଙ୍କ ପାଇଁ ନୂଆ ସୁବିଧା ଆଣିଛି । ଏହି ସୁବିଧା ଦ୍ୱାରା ବ୍ୟବହାରକାରୀ ନିଜ ଆକାଉଣ୍ଟକୁ ଏକାଧିକ ଡିଭାଇସ୍‌ରେ ଆକ୍ସେସ୍‌ ବା ଲଗ୍‌ଇନ୍‌ କରିପାରିବେ । କମ୍ପାନି ଏଥିପାଇଁ ‘ମଲ୍ଟି-ଡିଭାଇସ୍‌’ ବୈଶିଷ୍ଟ୍ୟର ଶୁଭାରମ୍ଭ କରିଛି । ଅର୍ଥାତ୍‌ ୟୁଜରମାନେ ଏବେ ଏକସଙ୍ଗେ ଏକାଧିକ ଡିଭାଇସ୍‌ରେ ନିଜ ହ୍ୱାଟ୍‌ସଆପ୍‌ ଆକାଉଣ୍ଟ ଚଳାଇ ପାରିବେ । ଏହି ବୈଶିଷ୍ଟ୍ୟ ସହାୟତାରେ ୟୁଜର ନିଜ ହ୍ୱାଟ୍‌ସଆପ୍‌ ଆକାଉଣ୍ଟର ଲଗ୍‌ଇନ୍‌ ସ୍ମାର୍ଟଫୋନ୍‌ ସମେତ ଲାପ୍‌ଟପ୍‌, ଟାବ୍‌ଲେଟ୍‌ ବା ଅନ୍ୟ କୌଣସି ଡିଭାଇସ୍‌ରେ କରିପାରିବେ । ସେତିକି ନୁହେଁ, ଏହି ଆକାଉଣ୍ଟକୁ ଲଗ୍‌ଇନ୍‌ ରଖିବା ପାଇଁ ଇଣ୍ଟରନେଟ୍‌ ଆବଶ୍ୟକ ପଡ଼ିବ ନାହିଁ । ଉଭୟ ଆଣ୍ଡ୍ରଏଡ୍‌ ଓ ଆଇଓଏସ୍‌ ବ୍ୟବହାରକାରୀ ଏହି ନୂଆ ସୁବିଧାର ଫାଇଦା ନେଇପାରିବେ । ପୂର୍ବରୁ ‘ହ୍ୱାଟ୍‌ସଆପ୍‌ୱେବ୍‌’ ଦ୍ୱାରା ଡେସ୍କଟପ୍‌ରେ ଲଗ୍‌ଇନ୍‌ କରାଯିବା ବେଳେ ଇଣ୍ଟରନେଟ୍‌ ଜରୁରି ଥିଲା । ଏଥିସହ ସ୍ମାର୍ଟଫୋନ୍‌ରେ ମଧ୍ୟ ଇଣ୍ଟରନେଟ୍‌ ଓ ହ୍ୱାଟ୍‌ସଆପ୍‌କୁ ଅନ୍‌ ରଖିବାକୁ ପଡ଼ୁଥିଲା । କିନ୍ତୁ ଏବେ ପ୍ରାଇମେରି ଡିଭାଇସ୍‌ ବା ସ୍ମାର୍ଟଫୋନ୍‌ ବିନା ମଧ୍ୟ ଅନ୍ୟ ଡିଭାଇସ୍‌ରେ ଆକାଉଣ୍ଟକୁ ଆକ୍ସେସ୍‌ କରାଯାଇ ପାରିବ । ୱେବ୍‌ ୟୁଜରମାନେ ସ୍ମାର୍ଟଫୋନ୍‌ରେ ଇଣ୍ଟରନେଟ୍‌ କନେକ୍ସନ୍‌ ନ କରି ମେସେଜ୍‌ ପଠାଇ ପାରିବେ ଏବଂ ଗ୍ରହଣ କରିପାରିବେ । ତେବେ ଏଥିପାଇଁ ୟୁଜରଙ୍କୁ ବିଟା ପ୍ରୋଗ୍ରାମ୍‌ରେ ସାମିଲ ହେବାକୁ ପଡ଼ିବ ।

ଏହି ଉପାୟରେ ନେଇହେବ ସୁବିଧା

ହ୍ୱାଟ୍‌ସଆପ୍‌ ବ୍ୟବହାରକାରୀମାନେ ସେମାନଙ୍କ ଆକାଉଣ୍ଟକୁ ୪ଟି ପର୍ଯ୍ୟନ୍ତ ଡିଭାଇସ୍‌ରେ ଲିଙ୍କ୍‌ କରାଇ ପାରିବେ । ଏହା ଏଣ୍ଡ୍‌-ଟୁ-ଏଣ୍ଡ୍‌ ଏନ୍‌କ୍ରିପ୍‌ସନ୍‌କୁ ସୁନିଶ୍ଚିତ କରୁଥିବା କମ୍ପାନି ଦାବି କରିଛି । ଏହାଦ୍ୱାରା ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ମେସେଜ୍‌, ମିଡିଆ ଓ କଲ୍‌ ଆଦି ଗୋପନ ରହିବ ଏବଂ କୌଣସି ତୃତୀୟ ପକ୍ଷ ଏହାକୁ ହାସଲ କରିପାରିବ ନାହିଁ । ଫୋନ୍‌ରେ ଆକ୍ଟିଭ୍‌ ଇଣ୍ଟରନେଟ୍‌ ନ ଥିଲେ ମଧ୍ୟ ଡେସ୍କଟପ୍‌ରେ ହ୍ୱାଟ୍‌ସଆପ୍‌ ୱେବ୍‌ ବ୍ୟବହୃତ କରିହେବ । ଯଦି ମୁଖ୍ୟ ଡିଭାଇସ୍‌ ୧୪ ଦିନ ପାଇଁ ଡିସ୍‌କନେକ୍ଟେଡ୍‌ ରୁହେ, ତେବେ ଲିଙ୍କ୍‌ଡ ଡିଭାଇସ୍‌ ସ୍ୱୟଂକ୍ରିୟ ଭାବେ ଲଗ୍‌ ଆଉଟ୍‌ ହୋଇଯିବ । ଫୋନ୍‌ରେ ହ୍ୱାଟ୍‌ସଆପ୍‌ ଖୋଲିବା ପରେ ସ୍କ୍ରିନ୍‌ର ଉପରିସ୍ଥ ଡାହାଣପାଶ୍ୱର୍ରେ ଥିବା ୩ଟି ବିନ୍ଦୁ ଉପରେ ଟ୍ୟାପ୍‌ କରିବାକୁ ହେବ । ଏହାପରେ ‘ଲିଙ୍କ୍‌ଡ ଡିଭାଇସେସ୍‌’ରେ ଟ୍ୟାପ୍‌ କରିବା ପରେ ‘ମଲ୍ଟି-ଡିଭାଇସ୍‌ ବିଟା’ ଉପରେ ପୁଣି ଟ୍ୟାପ୍‌ କରିବାକୁ ହେବ । ଏହାପରେ ହ୍ୱାଟ୍‌ସଆପ୍‌ରେ ଏକ ପେଜ୍‌ ପ୍ରଦର୍ଶିତ ହେବ, ଯେଉଁଥିରେ ସମ୍ପୃକ୍ତ ବୈଶିଷ୍ଟ୍ୟ ବାବଦରେ ସୂଚନା ଥିବ । ଏହାପରେ ‘ଜଏନ୍‌ ବିଟା’ ବଟନ୍‌ରେ ଟ୍ୟାପ୍‌ କରି ‘କଣ୍ଟିନ୍ୟୁ’ ବଟନ୍‌କୁ ଟ୍ୟାପ୍‌ କରିବାକୁ ପଡ଼ିବ । ଏହାପରେ ୟୁଜରମାନେ ସ୍ମାର୍ଟଫୋନ୍‌କୁ ହ୍ୱାଟ୍‌ସଆପ୍‌ ୱେବ୍‌ ସହ କ୍ୟୁଆର୍‌ କୋଡ୍‌ ସ୍କାନ୍‌ କରି ଲିଙ୍କ୍‌ କରାଇ ପାରିବେ ।

Leave A Reply

Your email address will not be published.