୧୨୮ଟି ଗାଁର ସବୁ ପରିବାରକୁ ୭ଦିନ ରିଲିଫ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

0 22

ଭୁବନେଶ୍ବର : ବାତ୍ୟା ଯୋଗୁ କ୍ଷତିଗ୍ରସ୍ତ ଜିଲ୍ଲାଗୁଡିକର ୧୨୮ଟି ଜଳମଗ୍ନ ଗ୍ରାମର ସମସ୍ତ ପରିବାରକୁ ୭ ଦିନ ପାଇଁ ରିଲିଫ ଯୋଗାଇ ଦିଆଯିବ। ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂଧ୍ୟାରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ମୁଖ୍ୟ ଶାସନ ସଚିବ ଓ ସ୍ବତନ୍ତ୍ର ରିଲିଫ କମିସନରଙ୍କ ସହିତ ବାତ୍ୟା ‘ୟାସ୍‌’ର ପ୍ରଭାବ, ପୁନରୁଦ୍ଧାର କାର୍ଯ୍ୟକ୍ରମ ସଂପର୍କରେ ସମୀକ୍ଷା କରିବା ପରେ ଏଭଳି ଘୋଷଣା କରିଛନ୍ତି।

ଏହାସହିତ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କ୍ଷତିଗ୍ରସ୍ତ ଜିଲ୍ଲାଗୁଡିକର ସମସ୍ତ ପ୍ରମୁଖ ରାସ୍ତା ଗୁଡିକ ଯୋଗାଯୋଗ ସ୍ବାଭାବିକ କରାଯିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ସେହିଭଳି ୮୦ ପ୍ରତିଶତ ଅଞ୍ଚଳରେ ବିଦ୍ୟୁତ ପୁନଃସଂଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ଟାର୍ଗେଟ ଦେଇଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ବାତ୍ୟା ସମୟରେ ରୋଗୀମାନଙ୍କୁ ନିରବଚ୍ଛିନ୍ନ ସ୍ବାସ୍ଥ୍ୟ ସେବା ଯୋଗାଇ ଦେଇଥିବାରୁ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ସେହିଭଳି ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବାତ୍ୟା ୟାସ ସମୟରେ ସମସ୍ତ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳ ଓ ଅନ୍ୟାନ୍ୟ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାରେ ଉଲ୍ଲେଖନୀୟ କାର୍ଯ୍ୟ ଓ ସହଯୋଗ ପାଇଁ ସମସ୍ତ ପଞ୍ଚାୟତ ପ୍ରତିନିଧି, ଜିଲ୍ଲା ପ୍ରଶାସନ, ଅଗ୍ନିଶମ ବିଭାଗ, ନାଗରିକ ସଂଗଠନ, ଏନ୍‌ଡିଆରଏଫ୍‌, ଓଡ୍ରାଫ୍, ପୁଲିସ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

ବୈଠକରେ ବାତ୍ୟା କ୍ଷୟକ୍ଷତି ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ବାତ୍ୟା ଯୋଗୁ ଉଚ୍ଚ ଜୁଆର ଆସି ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ବର ଜିଲ୍ଲାର ୧୨୮ ଗାଁ ଜଳମଗ୍ନ ହୋଇଛି।ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗିବା ସହିତ ସଡକ, ବିଦ୍ୟୁତ ଓ ଟେଲି ଯୋଗାଯୋଗ ପ୍ରଭାବିତ ହୋଇଛି।ଏହି ସମୟରେ କୋଭିଡ ହସ୍‌ପିଟାଲ ଗୁଡିକ କିନ୍ତୁ ସ୍ବାଭାବିକ ଭାବରେ ଚାଲିଥିଲା।

ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା ପ୍ରଭାବିତରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂପର୍କରେ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ମତେ ଜନସାଧାରଣଙ୍କ ଜୀବନର ସୁରକ୍ଷା ପାଇଁ ସାଢେ ଛଅ ଲକ୍ଷରୁ ଅଧିକ ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳ ଓ ଅନ୍ୟାନ୍ୟ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି। ବାତ୍ୟା ସମୟରେ ଘର ଭାଙ୍ଗିବା ଯୋଗୁ କୌଣସି ଲୋକ ମୃତାହତ ହୋଇଥିବାର ସୂଚନା ନାହିଁ। କିନ୍ତୁ ବାଲେଶ୍ବରରେ ଆଶ୍ରୟସ୍ଥଳରୁ ବାହାରକୁ ଯାଇଥିବା ଜଣେ ବ୍ୟକ୍ତି ଏବଂ କେନ୍ଦୁଝରରେ ଘରୁ ବାହାରକୁ ଯାଇଥିବା ଜଣେ ବ୍ୟକ୍ତି ଗଛ ପଡ଼ିବା ଯୋଗୁ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି।

ରାସ୍ତା, ବିଜୁଳି, ପାନୀୟ ଜଳ ଓ ଟେଲି ଯୋଗାଯୋଗ ବ୍ୟବସ୍ଥାର ପୁନରୁଦ୍ଧାର ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ୟମ ଜାରି ରହିଛି ଏବଂ ଖୁବଶୀଘ୍ର ପରିସ୍ଥିତି ସ୍ବାଭାବିକ ହେବ। ଗଛ ପଡିବା ଯୋଗୁ ରାସ୍ତା ଅବରୋଧ ଦୂର କରିବା ପାଇଁ ଓଡ୍ରାଫ୍‌, ଅଗ୍ନିଶମ ଓ ବନ ବିଭାଗ ନିରନ୍ତର ଭାବେ ଗଛ କାଟିବା କାର୍ଯ୍ୟରେ ନିୟୋଜିତ ଅଛନ୍ତି ବୋଲି ସେ ସୂଚନା ଦେଇଥିଲେ।

ବାଲେଶ୍ୱର ଓ ଭଦ୍ରକ ଜଳମଗ୍ନ ଗ୍ରାମରୁ ଜଳ ଅପସାରିତ ହେଲା ପରେ କ୍ଷୟକ୍ଷତି ଆକଳନ ଓ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହେବ। ଏତଦ୍‌ବ୍ୟତୀତ ଯାଜପୁର, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାରେ ବିଶେଷ କ୍ଷୟକ୍ଷତି ହୋଇ ନଥିବା ଜଣାପଡିିଛି। ବିଦ୍ୟୁତ ପୁନରୁଦ୍ଧାର କାର୍ଯ୍ୟ ଜଗତସିଂହପୁର ଜିଲ୍ଲାରେ ସରିଥିବାବେଳେ କେନ୍ଦ୍ରାପଡା, ଯାଜପୁର ଜିଲ୍ଲାରେ କାମ ଚାଲୁରହିଛି। ବାଲେଶ୍ୱର, ଭଦ୍ରକ ଜିଲ୍ଲାର ଜଳମଗ୍ନ ଅଂଚଳ ବ୍ୟତୀତ ଅନ୍ୟ ସ୍ଥାନମାନଙ୍କରେ ବିଦ୍ୟୁତ ଯୋଗାଣ ଶୀଘ୍ର କରାଯିବ।

ଜୁଆର ପାଣି ଆସିବା ଫଳରେ ରେମୁଣା, ଧାମରାର ଅନେକ ଗ୍ରାମରେ ପାଣି ପଶୁଛି।ପ୍ରଶାସନ ଜନସାଧାରଣଙ୍କ ସହାୟତାରେ ଜଳନିଷ୍କାସନ କାର୍ଯ୍ୟ ଆରମ୍ଭ କରାଯାଇଥିବା ଶ୍ରୀ ଜେନା ସୂଚନା ଦେଇଥିଲେ।

ଏବେସୁଦ୍ଧା ପୂର୍ତ୍ତ ବିଭାଗର ୨୯୫ଟି ରାସ୍ତା ଓ ଗ୍ରାମ ଉନ୍ନୟନ ବିଭାଗର ୨୦୦ ରାସ୍ତା ସଫା କରାଯାଇ ଯୋଗାଯୋଗ ସୁବିଧା କରାଯାଇଛି। ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର କ୍ଷେତ୍ର କର୍ମଚାରୀ ଓ ଅଧିକାରୀମାନେ ଦିନରାତି କାର୍ଯ୍ୟ କରୁଛନ୍ତି। ଜନସାଧାରଣ ଜିଲ୍ଲା ପ୍ରଶାସନକୁ ସହଯୋଗ କରିବା ନିମନ୍ତେ ସ୍ୱତନ୍ତ୍ର ରିଲିଫ୍ କମିସନର ପରାମର୍ଶ ଦେଇଛନ୍ତି।

Leave A Reply

Your email address will not be published.