୧୮ ଲକ୍ଷ ଟଙ୍କାରୁ ଅଧିକ ନକଲି ନୋଟ୍‌ ଜବତ, ୬ ଅଭିଯୁକ୍ତ ଅଟକ

0 14

ସମ୍ବଲପୁର :  ସମ୍ବଲପୁରରେ ହାଇଯାଉ ହେଲାଣି ନକଲି ନୋଟ୍‌ । ଗତ କିଛି ମାସ ହେବ ସମ୍ବଲପୁର ସହରରେ ନକଲି ନୋଟ୍‌ ପୁଲିସ୍‌ର ନିଦ ହଜେଇ ଦେଇଥିଲା । ୭ ଦିନ ତଳେ ଟାଉନ୍‌ ଥାନା ଅଞ୍ଚଳରୁ ଏକ ନକଲି ନୋଟ୍‌ ମିଳିବା ଘଟଣାରେ ପୁଲିସ୍‌ ଖୋଳତାଡ଼ କରୁ କରୁ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ପୁଲିସ୍‌କୁ ଏହି କାରବାରର ବଡ଼ ମୁଣ୍ଡ ମିଳିଯାଇଛନ୍ତି । ଏହି ଘଟଣାରେ ପୁଲିସ୍‌ ୬ ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ସେମାନଙ୍କ ନିକଟରୁ ବିପୁଳ ନକଲି ନୋଟ୍‌ ଜବତ କରିଛି । ଏହି ନୋଟ୍‌ଗୁଡ଼ିକ ମଧ୍ୟରେ ୫ଶହ, ୨୦୦ ଓ ଶହେ ଟଙ୍କିଆ ନୋଟ୍‌ ରହିଛି । ତେବେ ଜବତ ନକଲି ନୋଟ୍‌ର ପରିମାଣ ପ୍ରାୟ ୧୮ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ଏହି ମାମଲା ଏବେ ତଦନ୍ତାଧୀନ ଥିବାରୁ ପୁଲିସ୍‌ ମଧ୍ୟ ଘଟଣା ସମ୍ପର୍କରେ ମୁହଁ ଖୋଲୁନାହିଁ ।

ମିଳିଥିବା ସୂଚନା ଅନୁସାରେ, ୭ ଦିନ ପୂର୍ବେ ଲକ୍ଷ୍ମୀ ଟକିଜ ଛକରେ ଏକ ଚା’ ଦୋକାନରୁ ଗୋଟିଏ ନକଲି ନୋଟ୍‌ ମିଳିଥିଲା । ଏନେଇ ଥାନାରେ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ପୁଲିସ୍‌ ଛାନ୍‌ଭିନ୍‌ କରୁ କରୁ ଛତିଶଗଡ଼ରୁ ନକଲି ନୋଟ୍‌ ବରଗଡ଼ ଦେଇ ସମ୍ବଲପୁରକୁ ଆସୁଥିବା ଜଣାପଡ଼ିଥିଲା । ଛତିଶଗଡ଼କୁ ବାଂଲାଦେଶରୁ ନକଲି ନୋଟ୍‌ ଆସୁଥିବା ବେଳେ ଭେଡେନ୍‌ ଦେଇ ବରଗଡ଼କୁ ପଶୁଥିଲା । ତେବେ ବରଗଡ଼ର ଭୁକ୍ତା ଦେଇ ଏହି ନୋଟ୍‌ ସମ୍ବଲପୁର ବଜାରକୁ ଆସୁଥିବା ତଦନ୍ତରୁ ଜଣାପଡ଼ିଥିଲା । ସୂଚନା ପାଇ ସମ୍ବଲପୁର ପୁଲିସ୍‌ ୨ଟି ଟିମ୍‌ ଗଠନ କରି ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିଲା । ଦୀର୍ଘ ୬ ଦିନ ପରେ ସମ୍ବଲପୁର ପୁଲିସ୍‌କୁ ଏହି ମିସନରେ ବଡ଼ ଧରଣର ସଫଳତା ମିଳିଛି । ଏହି ଘଟଣାରେ ପୁଲିସ୍‌ ବରଗଡ଼ର ୪ ଜଣ ଓ ଛତିଶଗଡ଼ର ୨ ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି । ସେପଟେ, ଅଭିଯୁକ୍ତଙ୍କ ନିକଟରୁ ମୋଟ ୧୮ ଲକ୍ଷ ଟଙ୍କା ଜବତ ହୋଇଛି ।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏହି ନକଲି ନୋଟ୍‌ କାରବାର ଏକ ଭିନ୍ନ ରୂପରେ ବଜାରରେ ଚାଲିଛି । ଗୋଟିଏ ଅସଲି ନୋଟ୍‌ ବଦଳରେ ୩ଟି ନକଲି ନୋଟ୍‌ ଦିଆଯାଉଛି । ଅଳ୍ପ ସମୟରେ ଅଧିକ ଟଙ୍କା ରୋଜଗାର ଉଦ୍ଦେଶ୍ୟରେ ଯୁବଗୋଷ୍ଠୀ ଏହି ରାକେଟ୍‌ରେ ସାମିଲ୍‌ ହେବାରେ ଲାଗିଛନ୍ତି ।

Leave A Reply

Your email address will not be published.