୯ରୁ ଲର୍ଣ୍ଣିଂ ଲାଇସେନ୍ସ ସ୍ଲଟ୍‌ ବୁକିଂ, ୧୧ରୁ ପରୀକ୍ଷା

0 13

କଟକ: ଲର୍ଣ୍ଣିଂ ଲାଇସେନ୍ସ (ଏଲ୍‌ଏଲ୍‌) ପାଇଁ ଯେଉଁମାନେ ପୂର୍ବରୁ ଆବେଦନ କରିଥିଲେ ସେମାନେ ଆସନ୍ତା ୯ ତାରିଖରୁ ସ୍ଲଟ୍‌ ବୁକିଂ କରିପାରିବେ ବୋଲି ରାଜ୍ୟ ପରିବହନ କମିସନରଙ୍କ ପକ୍ଷରୁ ବିଜ୍ଞପ୍ତିରେ କୁହାଯାଇଛି । ୯ ତାରିଖ ଦିନ ୧୧ଟାରୁ ଏହି ସ୍ଲଟ୍‌ ବୁକିଂ କରାଯାଇ ପାରିବ । ପରେ ପ୍ରତିଦିନ ସକାଳେ ୭ଟାରୁ ୧୦ଟା ମଧ୍ୟରେ ସ୍ଲଟ୍‌ ବୁକିଂ କରାଯିବ । ଯେଉଁମାନେ ସ୍ଲଟ୍‌ ବୁକିଂ କରିବେ ସେମାନେ ୧୧ ତାରିଖଠାରୁ ପରୀକ୍ଷା ଦେଇପାରିବେ ବୋଲି ଏଥିରେ ସ୍ପଷ୍ଟ କରାଯାଇଛି ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପରିବହନ କମିସନରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଆବେଦନକୁ ବନ୍ଦ କରି ଦିଆଯାଇଥିଲା । ଯେଉଁମାନେ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଆବେଦନ କରି ସାରିଥିଲେ କିନ୍ତୁ ସ୍ଲଟ୍‌ ବୁକିଂ କରିନଥିଲେ ସେମାନେ ଆଉ ସ୍ଲଟ୍‌ ବୁକିଂ କରିପାରିବେ ନାହିଁ ବୋଲି କଟକଣା ଲାଗୁ କରାଯାଇଥିଲା । ସେହିପରି କେତେଜଣ ସ୍ଲଟ୍‌ ବୁକିଂ କରି ସାରିଥିଲେ ତାହାକୁ ସ୍ଥଗିତ ରଖାଯାଇଥିଲା । ଏବେ କରୋନା ସଂକ୍ରମଣ ହ୍ରାସ ପାଇବା ସହ କଟକଣାକୁ କୋହଳ କରାଯିବା ପରେ ରାଜ୍ୟ ପରିବହନ କମିସନରଙ୍କ ପକ୍ଷରୁ ପୁଣି ଥରେ ସ୍ଲଟ୍‌ ବୁକିଂ ପାଇଁ ଅନୁମତି ଦିଆଯାଇଛି । ଏଥିରେ କୁହାଯାଇଛି ଯେ, ଯେଉଁମାନେ ଏଲ୍‌ଏଲ୍‌ ସ୍ଲଟ୍‌ ପାଇଁ ପୂର୍ବରୁ ଟଙ୍କା ଜମା କରିଥିଲେ ତାହା ଏବେ ବୈଧ ହୋଇଯାଇଛି ।

ଅର୍ଥାତ ସେମାନଙ୍କୁ ଏବେ ସ୍ଲଟ୍‌ ବୁକିଂ କରିବା ବେଳେ ଆଉ ଜମା ଅର୍ଥ ଦେବାକୁ ପଡ଼ିବ ନାହିଁ । ଯେଉଁମାନେ ପୂର୍ବରୁ ଏଲ୍‌ଏଲ୍‌ ସ୍ଲଟ୍‌ ପାଇଁ ଆବେଦନ କରିଥିଲେ ସେହିମାନେ କେବଳ ସ୍ଲଟ୍‌ ବୁକିଂ କରିପାରିବେ ବୋଲି କୁହାଯାଇଛି । ନୂଆ ସ୍ଲଟ୍‌ ପାଇଁ ବର୍ତ୍ତମାନ ଆବେଦନ କରାଯାଇ ପାରିବ ନାହିଁ । ପରବର୍ତ୍ତୀ ସମୟରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବ । ଏଲ୍‌ଏଲ୍‌ ପରୀକ୍ଷା ପାଇଁ ୨୦ଟି ପ୍ରଶ୍ନପତ୍ର ରହିବ । ସେଥିରୁ ୧୨ଟି ପ୍ରଶ୍ନପତ୍ରର ଯେଉଁମାନେ ସଠିକ୍‌ ଉତ୍ତର ଦେବେ ସେହିମାନେ ପରୀକ୍ଷାରେ କୃତକାର୍ଯ୍ୟ ହେବେ । କଣ୍ଟେନ୍‌ମେଣ୍ଟ ଜୋନ୍‌ରୁ ଯଦି କୌଣସି ପରୀକ୍ଷାର୍ଥୀ ଆସୁଥାନ୍ତି ସେମାନଙ୍କ ବିରୋଧରେ ସ୍ଥାନୀୟ ଥାନାରେ ଏତଲା ଦିଆଯିବ ବୋଲି ବିଜ୍ଞପ୍ତିରେ ଚେତାବନୀ ଦିଆଯାଇଛି ।

Leave A Reply

Your email address will not be published.