ଜାମ୍ମୁ: ଜାମ୍ମୁ-କାଶ୍ମୀରର ସୋପିଆନ ଜିଲାରେ ସୁରକ୍ଷାକର୍ମୀଙ୍କୁ ବୁଧବାର ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ଆଜି ୫ ଆତଙ୍କୀ ନିପାତ ହୋଇଛନ୍ତି। ତେବେ ଏ ସମ୍ପର୍କରେ ସରକାରୀ ସୂତ୍ରରୁ କୌଣସି ସୂଚନା ଦିଆଯାଇ ନାହିଁ।
ଜଣେ ପୁଲିସ ଅଧିକାରୀ କୁହନ୍ତି, ଦକ୍ଷିଣ କାଶ୍ମୀରର ସୋପିଆନ ଜିଲା ଅନ୍ତର୍ଗତ ସୁଗୁ ଅଞ୍ଚଳରେ ଆତଙ୍କବାଦୀମାନେ ଲୁଚି ରହିଥିବା ନେଇ ଗୁଇନ୍ଦା ସୂଚନା ମିଳିବା ପରେ ୪୪ ଆରଆର ଏବଂ ସିଆରପିଏଫର ଏକ ମିଳିତ ଟିମ୍ ସର୍ଚ୍ଚ ଅପରେଶନ ଆରମ୍ଭ କରିଥିଲେ। ଯବାନମାନେ ଆତଙ୍କବାଦୀଙ୍କୁ ଘେରିଯିବା ପରେ ଉଭୟ ପକ୍ଷ ମଧ୍ୟରେ ଏନକାଉଣ୍ଟର ଘଟିଥିଲା। ସକାଳ ୯ଟା ସୁଦ୍ଧା ଯବାନଙ୍କ ଗୁଳିରେ ୨ ଆତଙ୍କୀ ନିହତ ହୋଇଥିଲେ। ସେହି ଅଞ୍ଚଳରେ ଆଉ କିଛି ଆତଙ୍କୀ ଲୁଚି ରହିଥିବା ଜଣାପଡ଼ିବା ପରେ ସର୍ଚ୍ଚ ଅପରେଶନ ଜାରି ରହିଥିଲା। ପରେ ଆଉ ୩ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଗୋଟିଏ ଦିନରେ ୫ ଆତଙ୍କୀ ନିପାତ ହୋଇଥିବାବେଳେ ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେଶନ ଜାରି ରହିଛି।