ଏସ୍‌ପି ସାରା ଶର୍ମା ଙ୍କ ମହାନତା , ଦୁର୍ଗମ ସିଣ୍ଡିବୁରୁକୁ ପୋଷ୍ୟ ଗାଁ ଭାବେ ଗ୍ରହଣ କଲେ

0
188

ପାରଳାଖେମୁଣ୍ଡି: ପୁଣି ଚର୍ଚ୍ଚିତ ହେଲେ ଗଜପତି ଜିଲ୍ଲା ଏସ୍‌ପି ସାରା ଶର୍ମା । କେତେବେଳେ ଗୀତ ଗାଇ ତ କେତେବେଳେ ବ୍ୟାୟାମ ଶିଖାଇ ଚର୍ଚ୍ଚାକୁ ଆସିଥିବା ଏସ୍‌ପି ସାରା ଶର୍ମା ଏବେ ଏକ ଅବେହଳିତ ଗାଁକୁ ପୋଷ୍ୟ ଭାବେ ଗ୍ରହଣ କରି ଚର୍ଚ୍ଚାକୁ ଆସିଛନ୍ତି।

ଗଜପତି  ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଗୁମ୍ମା ବ୍ଲକର ଏକ ପାହାଡିଆ ଗାଁ ସିଣ୍ଡିବୁରୁକୁ ପୋଷ୍ୟ ଗାଁ ଭାବେ ଗ୍ରହଣ କରିଛନ୍ତି ସାରା ଶର୍ମା । ସେ ପୋଲିସରେ ଯୋଗ ଦେବା ଆଗରୁ ଛତିଶଗଡ଼ ସ୍ଥିତ ହୀଦୟାତୁଲହା ଜାତୀୟ ଆଇନ ବିଶ୍ୱ ବିଦ୍ୟାଳୟରେ ଅଧ୍ୟାପିକା ଥିଲେ । ସେଠାକାର ପୁରାତନ ଛାତ୍ର ସଂଘର ସହଯୋଗରେ ତଥା ନିଜସ୍ୱ ଅର୍ଥରେ ସାରା ଶର୍ମା ଗୁମ୍ମା ବ୍ଲକର ସିଣ୍ଡିବୁରୁ ଗାଁକୁ ପୋଷ୍ୟ ଗାଁ ଭାବେ ଗ୍ରହଣ କରିଛନ୍ତି।

ଏହି ଗାଁରେ ୧୯ଟି ଆଦିବାସୀ ପରିବାର ରହନ୍ତି। ହେଲେ ଆଜି ଯାଏ ଏହି ଗାଁକୁ ରାସ୍ତା ଖଣ୍ଡିଏ ମଧ୍ୟ ନାହିଁ। ପାଦଚଲା ରାସ୍ତା ହିଁ ସାହା ଭରସା। ବିଶୁଦ୍ଧ ପାନୀୟ ଜଳ ଏମାନଙ୍କ ପାଇଁ ସତସପନ। ଗାଁରେ ଗୋଟିଏ ମାତ୍ର ନଳକୂପ ରହିଛି, ହେଲେ ଖରା ଦିନେ ସେଥିରୁ ପାଣି ବାହାରେ ନାହିଁ। ଗାଁର ସମସ୍ୟା ସମ୍ପର୍କରେ ଲୋକେ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବ୍ଲକ୍ ପ୍ରଶାସନଙ୍କୁ ଜଣାଇଥିଲେ ମଧ୍ୟ କେହି ସେମାନଙ୍କ ଦୁଃଖ ବୁଝି ନାହାନ୍ତି।

ଝିପି ଝିପି ବର୍ଷା ଲାଗି ରହିଥିଲେ ମଧ୍ୟ ସାରା ପାହାଡ଼ ଉପରେ ଥିବା ଏହି ଗାଁକୁ ଯାଇ ଲୋକଙ୍କ ଦୁଃଖ ବୁଝିଥିଲେ । ପୋଲିସ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କୁ ଏତେ ପାଖରେ ପାଇ ଗାଁ ଲୋକଙ୍କ ଖୁସି କହିଲେ ନ ସରେ। ଏବେ ସେମାନଙ୍କ ଦୁଃଖ ଦୂର ହେବ ବୋଲି ଗାଁ ଲୋକେ ଆଶା କରିଛନ୍ତି।

ଏବେ ସାରା ବିଶ୍ୱ କରୋନା ଲଢ଼େଇ କରୁଛି। ଏଭଳି ସ୍ଥିତିରେ ଗାଁର ଗରିବ ଲୋକଙ୍କୁ ସାହାଯ୍ୟ କରିବାକୁ ଛତିଶଗଡ଼ ସ୍ଥିତ ହିଦାତୁଲ୍ଲା ନ୍ୟାସନାଲ ଲ’ ବିଶ୍ୱବଦ୍ୟାଳୟର ପୁରାତନ ଛାତ୍ର ସଂଘର ସଦସ୍ୟମାନେ ଗଜପତି ଏସ୍‌ପିଙ୍କୁ ପ୍ରସ୍ତାବ ଦେଇଥିଲେ। ଏହାପରେ ଏସ୍‌ପି ବିଭିନ୍ନ ସୁବିଧାରୁ ବଞ୍ଚିତ ଥିବା ଗାଁ ଖୋଜିଥିଲେ।  ସିଣ୍ଡିବୁର ଗାଁକୁ ଦେଖିବା ପରେ ସେ ଏହି ଗାଁକୁ ପୋଷ୍ୟ ଭାବେ ଗ୍ରହଣ କରି ସହାୟତା କରିବାକୁ ମନସ୍ଥ କରିଥିଲେ। ତେବେ ଏହି ଗାଁ ଲୋକଙ୍କୁ ସହାୟତା କରିବା ପାଇଁ ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ର ସଂଘ କିଛି ଟଙ୍କା ଦେଇଥିବା ବେଳେ ଗଜପତି ପୁଲିସ୍ ମଧ୍ୟ ଆର୍ଥିକ ସହାୟତା କରିଛି।

ଏସ୍‌ପି ସାରା ଶର୍ମା କହିଛନ୍ତି, “ଆମେ ସିଣ୍ଡିବୁର୍‌ ଗାଁକୁ ପୋଷ୍ୟ ଗାଁ ଭାବେ ଗ୍ରହଣ କରିଛୁ। ଗାଁରେ ଯାହାକିଛି ଅସୁବିଧା ଅଛି ତାକୁ ଆମେ ପଚାରି ବୁଝିଛୁ। ସେମାନଙ୍କ ଯାହା ଦରକାର ଆମେ ତାଙ୍କୁ ଯୋଗାଇ ଦେବୁ।”

LEAVE A REPLY

Please enter your comment!
Please enter your name here