ରାଜ୍ୟରେ ୨୪୫ ନୂଆ ସଂକ୍ରମିତ ଚିହ୍ନଟ, ଦୁଇ ମୃତ , ମୋଟ ଆକ୍ରାନ୍ତ ସଂଖ୍ୟା ୬୮୫୯କୁ ବୃଦ୍ଧି

0
107

ଭୁବନେଶ୍ଵର  -: ରାଜ୍ୟରେ ସୋମବାର ଆଉ ୨୪୫ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୩୧ ଜଣ କ୍ବାରେଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ୩୧ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି ।

ସୋମବାର ଚିହ୍ନଟ ୨୪୫ ଜଣଙ୍କ ମଧ୍ୟରୁ ଗଞ୍ଜାମ ଜିଲାରୁ ସର୍ବାଧିକ ୯୬ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହା ପଛକୁ ଯାଜପୁରରୁ ୪୦, ଖୋର୍ଦ୍ଧାରୁ ୨୮ ଏବଂ ବରଗଡ଼ରୁ ୧୦ ସଂକ୍ରମିତ ରହିଛନ୍ତି। ସେହିପରି ଜଗତସିଂହପୁରରୁ ୯, କେନ୍ଦ୍ରାପଡ଼ାରୁ ୮, କଟକ, ଗଜପତି, କେନ୍ଦୁଝର ଓ ନବରଙ୍ଗପୁରରୁ ୭ ଲେଖାଏ, ସୁନ୍ଦରଗଡ଼ରୁ ୬, ମୟୂରଭଞ୍ଜରୁ ୫, ଢେଙ୍କାନାଳ ଓ ନୟାଗଡ଼ରୁ ୩ ଲେଖାଏ, ବାଲେଶ୍ଵର ଓ ଭଦ୍ରକରୁ ୨ ଲେଖାଏ ଏବଂ ଝାରସୁଗୁଡ଼ା, ରାୟଗଡ଼ା ଓ ସୋନପୁରରୁ ଜଣେ ଲେଖାଏ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ ଏନଡିଆରଏଫ ଏବଂ ଓଡ୍ରାଫରୁ ୨ କର୍ମଚାରୀ କରୋନା ପଜିଟିଭ ବାହାରିଛନ୍ତି। ସେମାନେ ଅମ୍ପନ ବାତ୍ୟା ଉଦ୍ଧାର କାର୍ଯ୍ୟରେ ପଶ୍ଚିମବଙ୍ଗ ଯାଇ ସେଠାରୁ ଫେରିଥିଲେ।

ସେହିପରି ଆଜି ଦୁଇ ଜଣ ମଧ୍ୟ ମୃତ୍ୟୁବରଣ  କରିଥିବାର ଜାଣିବାକୁ ମିଳିଛି । ଉଭୟ ମୃତ ବ୍ୟକ୍ତି ହେଉଛନ୍ତି ଗଞ୍ଜାମ ଜିଲ୍ଲାର ପୁରୁଷ। ଏମାନଙ୍କ ଭିତରୁ ଜଣଙ୍କର ବୟସ ୪୮ ଏବଂ ଅନ୍ୟଜଣଙ୍କ ୫୨ ବର୍ଷ ବୟସ୍କ ପୁରୁଷ। କୋଭିଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କର ମୃତ୍ୟୁ ଘଟିଛି। ଏହା ସହିତ ଗଞ୍ଜାମ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି |
ବିଭାଗ ପକ୍ଷରୁ କୁହାଯାଇଛି ଯେ, ଗଞ୍ଜାମ ଜିଲ୍ଲାର ଦୁଇଜଣ କରୋନା ପଜିଟିଭ ରୋଗୀଙ୍କର (୪୮ ବର୍ଷ ଏବଂ ୫୨ବର୍ଷ ବୟସ୍କ ପୁରୁଷ) ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଦେହାନ୍ତ ହୋଇଛି। ଏହାପୂର୍ବରୁ ଗତକାଲି ୩ ଜଣ ରୋଗୀଙ୍କର (ଗଞ୍ଜାମ, ଭୁବନେଶ୍ୱର ଏବଂ କଟକରୁ ଜଣେ) ମୃତ୍ୟୁ ହୋଇଥିଲା।

ଏବେ ରାଜ୍ୟରେ ମୋଟ୍ ୪୭୪୩ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦୮୬ ରହିଛି। ଅପରପକ୍ଷରେ ୨୩ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। କରୋନା ବ୍ୟତୀତ ଅନ୍ୟ ରୋଗରେ ୭ ପୀଡ଼ିତଙ୍କର ବି ମୃତ୍ୟୁ ଘଟିଛି ବୋଲି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here