ନୂଆଦିଲ୍ଲୀ – : ନୀଳଗିରିର ବିଜେପି ବିଧାୟକ ସୁକାନ୍ତ ନାୟକ କରୋନା ସଂକ୍ରମିତ ଜଣାପଡ଼ିବା ପରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ନିଜେ କ୍ୱାରାଣ୍ଟାଇନରେ ରହିଛନ୍ତି । ନୂଆଦିଲ୍ଲୀ ସ୍ଥିତ ସରକାରୀ ବାସଭବନରେ କ୍ୱାରାଣ୍ଟାଇନରେ ରହିଥିବା ସେ ଟ୍ଵିଟ କରି ଜଣାଇଛନ୍ତି ।
ବାଲେଶ୍ୱରର ପୂର୍ବତନ ବିଧାୟକ ସ୍ୱର୍ଗତଃ ମଦନ ମୋହନ ଦତ୍ତଙ୍କ ଉଦ୍ଦେଶ୍ୟରେ ଗତ ୨ ଓ ୩ ଜୁଲାଇରେ ଅନୁଷ୍ଠିତ ଏକ ଶୋକସଭାରେ ସେ ନୀଳଗିରି ବିଧାୟକଙ୍କ ସହ ଯୋଗ ଦେଇଥିଲେ । ଆଜି ବିଧାୟକ ଶ୍ରୀ ନାୟକ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିବା ପରେ ଶ୍ରୀ ଷଡ଼ଙ୍ଗୀ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଗାଇଡଲାଇନ ଅନୁସାରେ ନିଜକୁ କ୍ୱାରାଣ୍ଟାଇନ କରିଛନ୍ତି । ତେବେ ସେ ସୁସ୍ଥ ଥିବା ଜଣାଇଛନ୍ତି ।
ଏଠାରେ ସୂଚନାଯୋଗ୍ୟ ଯେ, ଉପରୋକ୍ତ ଦୁଇଟି କାର୍ଯ୍ୟକ୍ରମରେ ସହଶ୍ରାଧିକ ଲୋକ ଯୋଗ ଦେଇଥିଲେ। ବିଧାୟକ ଓ କେନ୍ଦ୍ରମନ୍ତ୍ରୀ ଏକାଧିକ ଲୋକଙ୍କ ସହ ବସି ବାର୍ତ୍ତାଳାପ କରିଥିଲେ। ସେପଟେ ସ୍ପର୍ଶରେ ଡେଉଁଥିବା ଏହି କରୋନା ଭାଇରସ ପାଇଁ ଯଦି କେହି ବିଧାୟକ ସୁକାନ୍ତଙ୍କ ସଂସ୍ପର୍ଶରେ ଆସିଥିବେ ତେବେ ଖାଲି ନୀଳଗିରି ନୁହଁ ବରଂ ବାଲେଶ୍ୱର ଓ ଭୁବନେଶ୍ୱରରେ ମଧ୍ୟ ଏହା ଗୋଷ୍ଠୀ ସଂକ୍ରମଣର ରୂପ ନେଇପାରେ ବୋଲି ଚର୍ଚ୍ଚା ହେଉଛି। ଉକ୍ତ ୨ଟି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବ୍ୟକ୍ତିମାନେ ତଥା ବିଧାୟକ ସୁକାନ୍ତ ନାୟକଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ତୁରନ୍ତ ସ୍ୱାବ ପରୀକ୍ଷା କରାଇବାକୁ ସାଧାରଣରେ ଦାବି ହୋଇଛି। ଗତ ଶନିବାର ନୀଳଗିରି ବ୍ଲକର ସଜନାଗଡ଼ କ୍ୱାରେଣ୍ଟାଇନ ସେଣ୍ଟରରେ ନୀଳଗିରି ବିଧାୟକଙ୍କ ସମେତ ମୋଟ ୬୯ଜଣଙ୍କର ସ୍ୱାବ ପରୀକ୍ଷା କରାଯାଇଥିଲା। ସୋମବାର ରିପୋର୍ଟ ଆସିବା ପରେ ସେମାନଙ୍କ ମଧ୍ୟରୁ ୧୮ଜଣଙ୍କର ପଜିଟିଭ ରିପୋର୍ଟ ଆସିଛି। ବିଧାୟକଙ୍କୁ ଛାଡ଼ିଦେଲେ ଅନ୍ୟମାନେ ସବୁ ୧୪ଦିନ କ୍ୱାରେଣ୍ଟାଇନ ଏବଂ ୭ଦିନ ହୋମ କ୍ୱାରେଣ୍ଟାଇନରେ ରହିବା ପରେ ମଧ୍ୟ ପଜିଟିଭ ରିପୋର୍ଟ ଆସିଥିବାରୁ ସାଧାରଣରେ କୋକୁଆଭୟ ସୃଷ୍ଟି ହୋଇଛି। ଉପରୋକ୍ତ ୧୮ଜଣଙ୍କୁ ମିଶାଇ ନୀଳଗିରି ବ୍ଲକରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦ଛୁଇଁଥିବା ଜଣାଯାଇଛି।