ରାଜ୍ୟବାସୀଙ୍କ ପାଇଁ ମାଗଣାରେ ଆରମ୍ଭ ହେଲା ପ୍ଲାଜମା ଥେରାପି

0
92

           ଦିଲ୍ଲୀ ଏବଂ ଗୁଜୁରାଟ ପରେ ତୃତୀୟ ରାଜ୍ୟ ଭାବେ ଓଡ଼ିଶାରେ ଆରମ୍ଭ ହୋଇଛି ପ୍ଲାଜମା ଥେରାପି

ଭୁବନେଶ୍ବର –: କୋଭିଡ୍-୧୯ ବିରୋଧୀ ଲଢ଼େଇରେ ଆଜି ଆଉ ଏକପାଦ ଆଗକୁ ଯାଇ ଓଡ଼ିଶାରେ ଆରମ୍ଭ ହୋଇଛି ପ୍ଲାଜମା ଥେରାପି। ଗୁରୁତର ଅବସ୍ଥାରେ ଥିବା କରୋନା ରୋଗୀଙ୍କ ଚିକିତ୍ସାରେ ଏହା ବେଶ୍‌ ଉପାଦେୟ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡ଼ିଓ କନଫରେନ୍‌ସିଂ ଜରିଆରେ କଟକ ଏସ୍‌ସିବି ମେଡିକାଲ କଲେଜରେ ପ୍ଲାଜମା ବ୍ୟାଙ୍କ ଉଦ୍‌ଘାଟନ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି, ପ୍ଲାଜମା ଥେରାପି କୋଭିଡ ମହାମାରୀ ବିରୋଧରେ ସଫଳ ଭାବେ ଲଢ଼ି ପାରିବ ବୋଲି ମୋର ଆଶା। ଦେଶର ହାତଗଣତି ରାଜ୍ୟ ଭିତରେ ଓଡ଼ିଶା ସାମିଲ ହୋଇଛି, ଯେଉଁଠାରେ କରୋନା ଚିକିତ୍ସା ଲାଗି ପ୍ଲାଜମା ଥେରାପି ଆରମ୍ଭ ହୋଇଛି। ଓଡ଼ିଶାର ସାଧାରଣ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ସରକାରଙ୍କ ଏକମାତ୍ର ଲକ୍ଷ୍ୟ। ପ୍ରତି ରାଜ୍ୟବାସୀଙ୍କ ଜୀବନ ମୋ ପାଇଁ ମୂଲ୍ୟବାନ୍। ଏଥିସହ ମୁଖ୍ୟମନ୍ତ୍ରୀ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କୁ ନିଜର ପ୍ଲାଜମା ଦାନ କରିବାକୁ ଅନୁରୋଧ କରିଥିଲେ। କୋଭିଡ ମହାମାରୀ ମୁକାବିଲା କରୁଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ କୃତଜ୍ଞତା ଜଣାଇଥିଲେ ସେ । ଶେଷରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ ଓଡ଼ିଶାବାସୀଙ୍କୁ ମାଗଣାରେ ପ୍ଲାଜମା ଥେରାପିର ସୁବିଧା ଯୋଗାଇ ଦିଆଯିବ।

ପ୍ଲାଜମା ଥେରାପି ବ୍ୟବସ୍ଥାର ପ୍ରାରମ୍ଭିକ ଦିନ ରାଜ୍ୟର ପ୍ରଥମ ପ୍ଲାଜମା ଡୋନର ଭାବେ ପ୍ଲାଜମା ଦାନ କରିଥିଲେ ଡା.ଚିତ୍ତ ଭୂଷଣ ପଣ୍ଡା। କୋଭିଡ ଆକ୍ରାନ୍ତ ହୋଇ ସୁସ୍ଥ ହେବା ପରେ ଡା. ପଣ୍ଡା ନିଜର ପ୍ଲାଜମା ଦାନ କରି ଏକ ବିରଳ ଉଦାହରଣ ସୃଷ୍ଟି କରିଥିଲେ । ଏଥିସହ ମନୋଜ ବରାଳ, ଅବିନାଶ ରାଉତ ଓ ପଙ୍କଜ ବେହେରା ମଧ୍ୟ ପ୍ଲାଜମା ଦାନ କରିଥିଲେ।

ପ୍ଲାଜ୍‌ମା ଥେରାପିରେ ଏସ୍‌ସିବି ମେଡିକାଲ କଲେଜ ନୋଡ଼ାଲ ଏଜେନ୍ସି ଭାବେ କାର୍ୟ୍ୟ କରିବ। ଭୁବନେଶ୍ବରସ୍ଥିତ ସମ୍‌ ହସ୍ପିଟାଲ, କିମ୍‌ସ୍ ହସ୍ପିଟାଲ ଓ କଟକ ସ୍ଥିତ ଅଶ୍ବିନୀ ହସ୍ପିଟାଲ ପ୍ଲାଜ୍‌ମା ଥେରାପି ଚିକିତ୍ସା ପ୍ରଦାନ କରିବେ। ଏହି ଅବସରରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ, ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର, ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ, ମୁଖ୍ୟ ସଚିବ ଅସିତ ତ୍ରିପାଠୀ, ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟର ମୁଖ୍ୟ ପରାମର୍ଶଦାତା, ଉନ୍ନୟନ କମିଶନର, ଏସ୍‌ଆରସି ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here