ମସ୍କୋ -: କରୋନା ଭାଇରସ୍ ସଂକ୍ରମଣରୁ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ସାରା ବିଶ୍ବର ବୈଜ୍ଞାନିକ ଟିକା ବିକାଶ କରିବାରେ ଲାଗିଛନ୍ତି । ଏହି ସମୟର ବିଶ୍ବର ପ୍ରଥମ କରୋନା ଟିକା ପ୍ରସ୍ତୁତ କରିଛି ଋଷ୍ । କରୋନା ଟିକାର ପଞ୍ଜୀକରଣ କରିଛି ଋଷ୍ । ଏ ନେଇ ଋଷ୍ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ୍ ଘୋଷଣା କରିଛନ୍ତି ।
ସେ କହିଛନ୍ତି ଯେ, ଋଷ୍ କରୋନା ଭାଇରସ୍ ର ପ୍ରଥମ ଟିକା ପ୍ରସ୍ତୁତ କରିସାରିଛି । ଏହା ବିଶ୍ବର ପ୍ରଥମ ସଫଳ ଟିକା । ଏହି ଟିକାକୁ ଋଷ୍ ସ୍ବାସ୍ଥ୍ୟ ମନ୍ତ୍ରଣାଳୟରୁ ମଞ୍ଜୁରୀ ମିଳିସାରିଛି । କେବଳ ଏତିକି ନୁହେଁ ପୁଟିନ୍ କହିଛନ୍ତି ଯେ, ଏହି କରୋନା ଟିକାକୁ ତାଙ୍କ ଝିଅଙ୍କ ଠାରେ ପ୍ରଥମେ ପ୍ରୟୋଗ କରାଯାଇଛି । ପୁତିନଙ୍କ ଦୁଇ ଝିଅଙ୍କ ମଧ୍ୟରୁ ଜଣଙ୍କୁ ପ୍ରଥମ କରୋନା ଟିକା ଦିଆଯାଇଛି। ଆଉ ସେ ସୁସ୍ଥ ଅନୁଭବ କରୁଥିବା ସୂଚନା ମିଳିଛି। ପୁତିନ ଆହୁରି କହିଛନ୍ତି କି, ଭ୍ୟାକ୍ସିନ ପରୀକ୍ଷଣ ସମୟରେ ସଫଳ ସାବ୍ୟସ୍ତ ହୋଇଛି ଯାହାକି କରୋନା ରୋଗରୁ ସ୍ଥାୟୀ ପ୍ରତିରକ୍ଷା ପ୍ରଦାନ କରିବ। ଭ୍ୟାକ୍ସିନ ଆବଶ୍ୟକ ପରୀକ୍ଷଣ ସମ୍ପୂର୍ଣ୍ଣ କରିଥିବା ନେଇ ପୁତିନ ଜୋର ଦେଇଛନ୍ତି। ଅନ୍ୟ ଜଣେ ଅଧିକାରୀ କହିଛନ୍ତି କି, ସ୍ୱାସ୍ଥ୍ୟ କର୍ମଚାରୀ ଓ ଶିକ୍ଷକଙ୍କୁ ଏହି ଟିକା ପ୍ରଥମେ ପ୍ରଦାନ କରାଯିବ।