ନୂଆଦିଲ୍ଲୀ: ଏମ୍ଡିଏଚ୍ (MDH) ମସଲାର ମାଲିକ ମହାଶୟ ଧର୍ମପାଲ୍ ଗୁଲାଟିଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା। ଆଜି ଭୋର ସାଢ଼େ ୫ଟାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଦେହାନ୍ତ ହୋଇଛି। ମିଳିଥିବା ସୂଚନା ଅନୁସାରେ, ଗତ ୩ ସପ୍ତାହ ହେବ ସେ ଦିଲ୍ଲୀର ଏକ ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିଲେ।
ସୂଚନାଥାଉ କି, ୨୦୧୮ରେ ଧର୍ମପାଲ୍ଙ୍କ ମୃତ୍ୟୁ ଖବରକୁ ନେଇ ସୋଶାଲ୍ ମିଡିଆରେ ଗୁଜବ ଖବର ପ୍ରସାରିତ ହୋଇଥିଲା। ଏହାପରେ ତାଙ୍କ ପରିବାର ପକ୍ଷରୁ ଏକ ଭିଡିଓ ମଧ୍ୟ ଜାରି କରାଯାଇଥିଲା। ଯେଉଁଥିରେ ସେ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ଅଛନ୍ତି ବୋଲି କୁହାଯାଇଥିଲା।
୧୯୨୨ ମସିହାରେ ପାକିସ୍ତାନର ସିଆଲ୍କୋଟ୍ରେ ଧର୍ମପାଲ୍ ଜନ୍ମଗ୍ରହଣ କରିଥିଲେ। ପରେ ତାଙ୍କ ପୂରା ପରିବାର ଦିଲ୍ଲୀ ଆସି ମସଲା ପ୍ରସ୍ତୁତ କାମ ଆରମ୍ଭ କରିଥିଲେ। ଶେଷରେ ସେ ଏମ୍ଡିଏଚ୍ ନାମକ ମସଲା କମ୍ପାନୀ ପ୍ରତିଷ୍ଠା କରିଥିଲେ। ଏମ୍ଡିଏଚ୍ ମସଲାର ବିଜ୍ଞାପନରେ ଧର୍ମପାଲ୍ଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। ବିଜ୍ଞାପନ ଜଗତରେ ସେ ଥିଲେ ବେଶ୍ ପରିଚିତ ଓ ଲୋକପ୍ରିୟ।
ଏମ୍ଡିଏଚ୍ ଅଙ୍କଲ, ଦାଦାଜୀ, ମସଲା କିଙ୍ଗ, କିଙ୍ଗ ଅଫ୍ ସ୍ପାଇସ୍ ନାମରେ ବେଶ ପରିଚିତ ଥିଲେ ଧରମପାଲ୍। ସେ ପଦ୍ମଭୂଷଣରେ ମଧ୍ୟ ସମ୍ମାନିତ ହୋଇଥିଲେ।