ଓଟିଭି ଚିଫ୍ ରିପୋର୍ଟର ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ

0 7

ଭୁବନେଶ୍ୱର : ଆଉ ନାହାନ୍ତି ଯୁବ,ଦୁଃସାହସୀ ସାମ୍ବାଦିକ ତଥା ଓଟିଭିର ଚିଫ୍ ରିପୋର୍ଟର ଅରିନ୍ଦମ ଦାସ। ଆଜି କଟକ ମୁଣ୍ଡଳିରେ ହୋଇଥିବା ବୋଟ୍ ଦୁର୍ଘଟଣାରେ ତାଙ୍କର ପରଲୋକ ହୋଇଯାଇଛି। ତାଙ୍କର ମୃତ୍ୟୁ ନେଇ ଏସ୍‌ସିବି ବଡ଼ ଡାକ୍ତରଖାନାର ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ଘୋଷଣା କରିଛନ୍ତି।

ସେ କହିଛନ୍ତି, ଅରିନ୍ଦମ ଦାସ ଡାକ୍ତରଖାନାରେ ପହଞ୍ଚିଲା ବେଳକୁ ତାଙ୍କର ମୃତ୍ୟୁ ଘଟି ସାରିଥିଲା। ତଥାପି ଏକ ଡାକ୍ତରୀ ଟିମ୍ ଠିକ୍ ଭାବେ ତାଙ୍କ ଯାଞ୍ଚ କରିଥିଲା। ତାଙ୍କର ଆଉ ଜଣେ ସହଯୋଗୀ ପ୍ରଭାତ ସିହ୍ନା (କ୍ୟାମେରା ପର୍ସନ)ଙ୍କ ଅବସ୍ଥା ମଧ୍ୟ ଭଲ ନାହିଁ। ତାଙ୍କୁ ମେଡିସିନ୍ ବିଭାଗ ଆଇସିୟୁରେ ଭର୍ତ୍ତି କରାଯାଇଛି। ସେହିପରି ଓଡ୍ରାଫ୍‌ର ତିନି ଜଣ କର୍ମଚାରୀ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ମହାନଦୀରେ କଟକ ମୁଣ୍ଡଳି ବ୍ୟାରେଜ୍‌ରେ ଆଜି ଏକ ଦନ୍ତା ହାତୀ ଫସି ଯାଇଛି। ତାକୁ ଉଦ୍ଧାର କରିବା ପାଇଁ ଅପରେସନ୍ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏହାର ରିପୋର୍ଟିଂ କରିବାକୁ ଅରିନ୍ଦମ ଦାସ ଓ କ୍ୟାମେରା ପର୍ସନ ପ୍ରଭାତ ସିହ୍ନା ସେଠାକୁ ଯାଇଥିଲେ।

ପ୍ରଶାସନ ପକ୍ଷରୁ ଦୀର୍ଘ ସମୟ ଧରି ଅପରେସନ୍ ପରେ ହାତୀଟି ନଦୀ କୂଳ ପାଖାପାଖି ପଳାଇ ଆସିଥିଲା। କିନ୍ତୁ ବୋଧହୁଏ ଅତ୍ୟଧିକ ସଂଖ୍ୟକ ଲୋକଙ୍କୁ ବ୍ୟାରେଜ୍ ପାଖାପାଖି ଦେଖି ହାତୀଟି ପୁଣି ନଦୀ ଭିତରକୁ ଚାଲି ଯାଇଥିଲା ଓ ମୁଣ୍ଡଳି ବ୍ୟାରେଜ ଗେଟ୍ ପାଖାପାଖି ଛିଡ଼ା ହୋଇଥିଲା। ହାତୀଟି ସ୍ଥିର ରହୁ ନଥିବାରୁ ତାକୁ କ୍ରେନ୍ ସାହାଯ୍ୟରେ ବି ଟଣା ଯିବା ସମ୍ଭବ ହୋଇପାରି ନଥିଲା।

ଅନ୍ୟ କୌଣସି ଉପାୟ ନ ପାଇଁ ଶେଷରେ ଓଡ୍ରାଫ୍ ଟିମ୍‌କୁ ରୋବର ବୋଟ୍‌ରେ ସେଠାକୁ ଯାଇଥିଲା ହାତୀଟିକୁ ଘଉଡ଼ାଇବାକୁ। ଆଉ ଦୁଃସାହାସୀ ତଥା ପ୍ରାଣୀ ଧନଙ୍କ ଉପରେ ରୁଚି ରଖୁଥିବା ଅରିନ୍ଦମ ତାଙ୍କ କ୍ୟାମେରା ପର୍ସନ ପ୍ରଭାତ ସିହ୍ନାଙ୍କ ସହିତ ଓଡ୍ରାଫ୍ ଟିମ୍‌ ସହିତ ବୋଟ୍‌ରେ ସେଠାକୁ ଯିବାକୁ ଯାଇଥିଲେ। ଆଉ ହାତୀ ପାଖାପାଖି ବୋଟ୍‌ଟି ପହଞ୍ଚିବା ପରେ ହଠାତ୍ ନିୟନ୍ତ୍ରଣ ହରାଇ ସେଠାରେ ଓଲଟି ପଡ଼ିଥିଲା।

ବୋଟ୍‌ଟି ଓଲଟି ପଡ଼ିବା ପରେ ଦୀର୍ଘ ସମୟ ଧରି ଅରିନ୍ଦମ ପାଣି ଭିତରେ ସଂଘର୍ଷ କରିଥିଲେ। ଶେଷରେ ତାଙ୍କୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର ହୋଇଯିବା ପରେ ତାଙ୍କର ସମସ୍ତ ସହଯୋଗୀ ଆଶ୍ୱସ୍ତ ହୋଇଥିଲେ। କିନ୍ତୁ ଦଇବ କିଛି ଅଲଗା ଲେଖି ରଖିଥିଲା। କଟକ ବଡ଼ ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

Leave A Reply

Your email address will not be published.